ଚୀନକୁ ବଡ ଝଟକା, ୨୪ କମ୍ପାନୀ ଭାରତରେ ଲଗାଇବେ ମୋବାଇଲ ପ୍ଲାଣ୍ଟ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୦୮: ଦୁନିଆରେ ହାହାକାର ମଚାଇଥିବା କରୋନା ଭାଇରସ ମହାମାରୀ କାରଣରୁ ଚୀନ ପ୍ରତି ଦୁନିଆରେ ଆକ୍ରୋଶର ମାହୋଲ ରହିଛି। ଦୁନିଆର ଅନେକ କମ୍ପାନୀ ଏବେ ଚୀନଠୁ ମୁହଁ ଫେରାଇବାରେ ଲାଗିଛନ୍ତି। ଏମିତି କମ୍ପାନୀକୁ ନିଜ ଆଡକୁ ଆକର୍ଷିତ କରିବା ଭାରତର ପ୍ରୟାସ ଏବେ ଫଳପ୍ରସୂ ହେଉଥିବା ସଙ୍କେତ ମିଳିଛି। ସାମସଙ୍ଗ ଇଲେକ୍ଟ୍ରୋନିକ୍ସଠୁ ନେଇ ଆପଲ୍ ପର୍ଯ୍ୟନ୍ତ ମୋବାଇଲ କମ୍ପାନୀ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ମୋଦୀ ସରକାର ବୈଦ୍ୟୁତିକ ଉପକରଣ ନିର୍ମାତାକାରୀ କମ୍ପାନୀଙ୍କ ପାଇଁ ମାର୍ଚ୍ଚରେ ଅନେକ ପ୍ରକାରର ପ୍ରୋତ୍ସାହନ ଘୋଷଣା କରିଥିଲେ। ଏହାର ପରିଣାମ ପ୍ରାୟ ଦୁଇ ଡର୍ଜନ କମ୍ପାନୀ ଭାରତରେ ମୋବାଇଲ ଫୋନ୍ ୟୁନିଟ୍‌ ସ୍ଥାପନ କରିବା ପାଇଁ ୧.୫ ଅରବ ଡଲାରର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସାମସଙ୍ଗ ବ୍ୟତୀତ ଫକ୍ସକନ ନାମରେ ପରିଚିତ କମ୍ପାନୀ Hon Hai Precision Industry Co, ଓ୍ଵିଷ୍ଟ୍ରନ କୋର୍‌ପ ଓ ପେଗାଟ୍ରନ କର୍‌ପ ମଧ୍ୟ ଭାରତରେ ନିବେଶ ପ୍ରତି ରୁଚି ଦେଖାଇଛନ୍ତି। ଭାରତ ଫାର୍ମାସ୍ୟୁଟିକଲ୍ସ ସେକ୍ଟର ପାଇଁ ମଧ୍ୟ ଏହି ପ୍ରକାରର ପ୍ରୋତ୍ସାହନ ଘୋଷଣା କରିଛି। ଏପରିକି ଅନେକ ସେକ୍ଟରରେ ଏହାକୁ ଲାଗୁ  କରାଯାଇପାରେ। ଏଥିରେ ଅଟୋମୋବାଇଲ, ଟେକ୍ସଟାଇଲ୍ ଓ ଖାଦ୍ୟ ପ୍ରକ୍ରିୟାକରଣ ମଧ୍ୟ ସାମିଲ।

ମୋଦୀ ସରକାର ଆଶା ରଖିଛନ୍ତି ଭାରତରେ ଆଗାମୀ ୫ ବର୍ଷରେ ୧୫୩ ଅରବ ଡଲାରର ବୈଦ୍ୟୁତିକ ଉପକରଣ ପ୍ରସ୍ତୁତ  ହୋଇପାରେ। ଏଥିରେ ପାଖାପାଖି ୧୦ ଲକ୍ଷ ପରୋକ୍ଷ ଓ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ। ନୀଳକଣ୍ଠ ମିଶ୍ରଙ୍କ ନେତୃତ୍ଵାଧୀନ କ୍ରେଡିଟ୍ ସୁଇସ୍ ଗ୍ରୁପର ବିଶ୍ଳେଷକଙ୍କ ଅନୁଯାୟୀ ଏଥିରେ ୫ ବର୍ଷରେ ଦେଶରେ ୫୫ ଅରବ ଡଲାରର ଅତିରିକ୍ତ ନିବେଶ ଆସିବ ଯାହା ଦେଶର ଅର୍ଥନୀତିକୁ ୦.୫ ପ୍ରତିଶତ ବୃଦ୍ଧି କରିବ। ଏଥିରେ ଆଗାମୀ ୫ ବର୍ଷରେ ଗ୍ଲୋବାଲ ସ୍ମାର୍ଟଫୋନ୍‌ ପ୍ରଡକ୍ସନର ଅତିରିକ୍ତ ୧୦ ପ୍ରତିଶତ ଭାରତ ସ୍ଥାନାନ୍ତର ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.