ନର୍ମଦା ନଦୀ କୂଳରେ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ପରି ସରଜୁ ନଦୀ କୂଳରେ ଛିଡ଼ା ହେବ ଶ୍ରୀରାମଙ୍କର ୧୦୮ ମିଟର ଉଚ୍ଚତାର ପ୍ରତିମୂର୍ତ୍ତି

Published By : Prameya-News7 Bureau | November 03, 2018 IST

ଲକ୍ଷ୍ନୌ ୩|୧୧: ଗୁଜରାଟରେ ସର୍ଦ୍ଦାର ପଟେଲଙ୍କ ସର୍ବ ବୃହତ୍ତ ପ୍ରତିମୂର୍ତ୍ତି ନିର୍ମାଣ ପରେ ଏବେ ଅଯୋଧ୍ୟାରେ ଶ୍ରୀରାମଙ୍କର ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ଲକ୍ଷ୍ୟରେ ବିଜେପି । ଦୀପାବଳି ଅବସରରେ ହିନ୍ଦୁମାନଙ୍କ ପାଇଁ ଏହି ଶୁଭଖବର ଯୋଗୀ ଆଦିତ୍ୟନାଥ ଦେବେ ବୋଲି ଅଯୋଧ୍ୟା ମ୍ୟୁନିସପାଲ କର୍ପୋରେସନର ମେୟର କହିଛନ୍ତି । ସେପଟେ ରାମମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ପଡିଲେ ୧୯୯୨ ପରି ଆନ୍ଦୋଳନ କରାଯାଇପାରେ ବୋଲି ଆର୍‌ଏସ୍‌ଏସ୍ କହିବା ପରେ ତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।… ନର୍ମଦା ନଦୀ କୂଳରେ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ପରି ସରଜୁ ନଦୀ କୂଳରେ ଛିଡ଼ା ହେବ ଶ୍ରୀରାମଙ୍କର ୧୦୮ ମିଟର ଉଚ୍ଚତାର ପ୍ରତିମୂର୍ତ୍ତି । ସନ୍ଥ ତୁଳସୀଦାସ ଘାଟ ନିକଟରେ ୩୩୦ କୋଟି ଟଙ୍କା ବ୍ୟୟରେ ଉତ୍ତରପ୍ରଦେଶ ସରକାର ଏହି ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାବଳି ଅବସରରେ ଏମିତି କିଛି ଶୁଭ ଖବର ଶୁଣାଇବେ । ଖୁବ୍ ଶୀଘ୍ର ମୂର୍ତ୍ତି ନିର୍ମାଣ ହେବାକୁ ଥିବା ସ୍ଥାନର ମାଟି ପରୀକ୍ଷା କରାଯିବ ବୋଲି କହିଛନ୍ତି ଅଯୋଧ୍ୟା ମ୍ୟୁନିସପାଲ କର୍ପୋରେସନର ମେୟର ରିଷିକେଶ ଉପାଧ୍ୟାୟ । ସେପଟେ ଯୋଗୀ ସରକାରଙ୍କ ଏହି ପ୍ରସ୍ତାବକୁ ଅନେକ ସାଧୁ ସନ୍ଥ ନାପସନ୍ଦ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ବ୍ୟତିତ ଆଉ କିଛି ଗ୍ରହଣୀୟ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ଏପଟେ ଧର୍ମାଦେଶ ନାଁରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆରମ୍ଭ ହୋଇଛି ଦୁଇ ଦିନିଆ ଅଖିଳ ଭାରତୀୟ ସନ୍ଥ ସମାବେଶ । ଶୁକ୍ରବାର ଆରଏସ୍ ଏସ୍ ସାଧାରଣ ସମ୍ପାଦକ ଭୟାଜୀ ଜୋଶୀ କହିଥିଲେ, ରାମମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ପଡିଲେ ୧୯୯୨ ପରି ଆନ୍ଦୋଳନ କରାଯାଇପାରେ । ଏହି ବୟାନ ଆସିବାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ସନ୍ଥ ସମାବେଶ । ଏଥିରେ ଅଯୋଧ୍ୟାର ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ସେପଟେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପୂର୍ବରୁ ମନ୍ଦିର ନିର୍ମାଣ ଯୋଜନାକୁ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିଛନ୍ତି।… ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ତୁରନ୍ତ ଶୁଣାଣି କରିବାକୁ ଅକ୍ଟୋବର ୨୯ରେ ମନା କରିଦେଇଥିଲେ ସୁପ୍ରିମକୋର୍ଟ । ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ନିୟମିତ ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ ବୋଲି କହିଥିଲେ କୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.