Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ : ଲକ୍ଷ୍ମୀ- ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

11/11/2019 at 2:50 PM

ପୁରୀ ୧୧/୧୧: ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପଞ୍ଚୁକର ଚତୁର୍ଦ୍ଦଶୀ ତିଥିରେ ଆଜି ମହାପ୍ରଭୁ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପଞ୍ଚୁକର ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ। ତେଣୁ ଏହି ବିଶ୍ୱାସ ନେଇ ଶ୍ରୀମନ୍ଦିରରେ ଲାଗି ରହିଛି ଭକ୍ତଙ୍କ ପ୍ରବଳ ଗହଳି। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ସହ ଆସନ୍ତାକାଲି ସୁନାବେଶ ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚୁକର ଚତୁର୍ଥ ଦିବସରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ। ଯାହାକି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିହ ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କର ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି।   

ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି। ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୃସଳ ଧାରଣ କରିଥାନ୍ତି। ସେହିପରି ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର ମସ୍ତକରେ ଯେଉଁ ଚୁଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ।

ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ। ଯେଉଁ ଭକ୍ତ ମାନେ ଶ୍ରୀଜୀଉଙ୍କର ଏହି ଦୁର୍ଲଭ ବେଶକୁ ଦର୍ଶନ କରିଥାନ୍ତି ସେମାନଙ୍କୁ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ସହ ଆସନ୍ତାକାଲି ସୁନାବେଶ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ସମସ୍ତ ସୁବ୍ୟବସ୍ଥା କରାଯାଇଛି

ଆସନ୍ତାକାଲି କାର୍ତ୍ତିକ ପୁର୍ଣ୍ଣିମାରେ ଶ୍ରୀଜୀଉ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ। ଏଥିପାଇଁ ଆଜି ଠାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି।

   Related Posts