Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇନଶୃଙ୍ଖଳା ରକ୍ଷା ଲାଗି ହନୁମାନଙ୍କୁ ଥାନାକୁ ନେଲା ପୋଲିସ, ଜାଣନ୍ତୁ ପୁରା ଘଟଣା

12/10/2019 at 10:21 PM

ବୈଶାଳୀ:  ବିହାର ବୈଶାଳୀ ଜିଲ୍ଲାରେ ଘଟିଛି ଅଜବ ଘଟଣା । ପରିସ୍ଥିତିକୁ ଆୟତ କରିବା ଲାଗି ପୋଲିସ ହନୁମାନଜୀଙ୍କୁ ଥାନାକୁ ନେଇଯାଇଛି। ତେବେ ଏକ ବିବାଦୀୟ ଜମି ଲାଗି ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ଅସନ୍ତୋଷ କାରଣରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ହାଜିପୁର ଥାନାରେ ପୋଲିସ ଏବେ ହନୁମାନଜୀଙ୍କ ମୂର୍ତ୍ତିକୁ ରଖିଛି।

ମିଳିଥିବା ସୂଚନା ଅନୁସାରେ ପାନାପୁର ଗୌରାହୀ ଗାଁରେ ଥିବା କୋରୀ ଠାକୁରବାଡୀର ଏକ ବିବାଦୀୟ ଜମିରେ କିଛି ଲୋକେ ହନୁମାନଜୀଙ୍କ ମୂର୍ତ୍ତି ସ୍ଥାପନା କରିଥିଲେ। ଏହି ଘଟଣାରେ ଠାକୁରବାଡୀ ସମିତିର ଲୋକେ ଉତକ୍ଷିପ୍ତ ହେବା ସହ ଦୁଇଗୋଷ୍ଠୀ ଲୋକ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ। ସୂଚନା ପାଇ ହାଜିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନା ଲାଗି ଉଦ୍ୟମ ଆରମ୍ଭ କରିଛି। ତେବେ ଯେଉଁଥି ଲାଗି ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ତାଙ୍କୁ ପୋଲିସ ନିଜ ଆୟତକୁ ନେଇଛି। ସେ ହେଉଛନ୍ତି ହନୁମାନଙ୍କ ମୂର୍ତ୍ତି। ପୋଲିସ ସେଠାରୁ ମୂର୍ତ୍ତିକୁ ହାଜିପୁର ଥାନାକୁ ନେଇଯାଇଛି।

ହାଜିପୁର ପୋଲିସ ଉପାଧ୍ୟକ୍ଷ ରାଘବ ଦୟାଲ ମାମଲାରେ ଉଭୟପକ୍ଷଙ୍କ ଏତଲା ଗ୍ରହଣ କରିଛନ୍ତି। କୌଣସି ସାର୍ବଜନିକ ସ୍ଥଳରେ ମନ୍ଦିର ଅଥବା ପ୍ରତିମା ସ୍ଥାପନ ଆଇନବିରୋଧୀ କାର୍ଯ୍ୟ। ଏଣୁ ପୋଲିସ ସ୍ଥାପିତ ହନୁମାନଙ୍କ ମୂର୍ତ୍ତିକୁ ସେଠାରୁ ଥାନାକୁ ନେଇଯାଇଥିବା ବେଳେ ଉଭୟ ପକ୍ଷରୁ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ଏକ ସେକ୍ସନ ଫୋର୍ସ ମୁତୟନ ଥିବା ପୋଲିସ ଉପାଧ୍ୟକ୍ଷ କହିଛନ୍ତି।  

   Related Posts