Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଙ୍କଟରେ ଖୋଲିଲା ବଦ୍ରିନାଥଙ୍କ ଦ୍ବାର : ପ୍ରଥମ ପୂଜା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ନାଁରେ

15/05/2020 at 11:09 AM

ନୂଆଦିଲ୍ଲୀ ୧୫/୫: ଭଗବାନ ଶ୍ରୀ ବଦ୍ରିନାଥଙ୍କ ଦ୍ବାର ଶୁକ୍ରବାର ଅର୍ଥାତ୍ ଆଜି ସକାଳେ ୪:୩୦ବେଳେ ପୂରା ବିଧି ବିଧାନ ସହ ଖୋଲି ଦିଆଯାଇଛି। ଏଥର ନିରାଡମ୍ବର ସହକାରେ ଦ୍ବାର ଖୋଲାଯାଇଛି। ଦ୍ବାର ଉଦଘାଟନରେ ମୁଖ୍ୟ ପୂଜାରୀ ରାଓ୍ବଲ୍,ଧର୍ମାଧିକାରୀ ଭୁବନ ଚନ୍ଦ୍ର ଉନିଆଲ,ରାଜଗୁରୁ ସମେତ ୧୧ଜଣ ସାମିଲ ଥିଲେ। ଏହି ସମୟରେ ମାସ୍କ ସହିତ ସୋସିଆଲ ଡିସଟ୍ୟାନସିଂର ପାଳନ କରାଯାଇଥିଲା। ଏହା ପୂର୍ବରୁ ମନ୍ଦିରର ଚତୁଃପାର୍ଶ୍ବକୁ ସାନିଟାଇଜ କରାଯାଇଥିଲା। ଏଥର ସେନାଙ୍କ ବ୍ୟାଣ୍ଡଙ୍କ ସୁମଧୁର ଧ୍ବନି ଏବଂ ଭଜନ ମଣ୍ଡଳୀଙ୍କ ସ୍ବର ଲହରୀ ମଧ୍ୟ ଶୁଣାଯାଇନଥିଲା। ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏହି ଧାମ ଖୋଲିବା ମାତ୍ରେ ମନୁଷ୍ୟଙ୍କ ରୋଗ-ଶୋକ ନିବୃତ୍ତି,ଆରୋଗ୍ୟତା ଏବଂ ବିଶ୍ବ କଲ୍ୟାଣର କାମନା କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଭଗବାନ ବଦ୍ରିନାଥଙ୍କ ପ୍ରଥମ ପୂଜା ମନୁଷ୍ୟଙ୍କ କଲ୍ୟାଣ ପାଇଁ ସମ୍ପନ୍ନ କରାଯାଇଥିଲା।

ମନ୍ଦିରକୁ ୧୦କ୍ବିଣ୍ଟାଲ୍ ଗେଣ୍ଡୁଫୁଲରେ ସଜା ଯାଇଥିଲା ଯାହା ବିଜୁଳି ଆଲୋକରେ ଚିକଚିକ୍ ହୋଇ ଉଜ୍ଜ୍ବଳ ରଶ୍ମି ଦେଉଥିଲା। ଦ୍ବାର ଖୋଲିବା ପରେ ବେଦ-ମନ୍ତ୍ରର ଧ୍ବନିରେ ସମଗ୍ର ବଦ୍ରିନାଥ ଗୁଞ୍ଜରିତ ହେଉଥିଲା। ଏବର୍ଷ କରୋନା ଭାଇରସର ପ୍ରଭାବ ଉତ୍ତରାଖଣ୍ଡର ୪ଧାମରେ ମଧ୍ୟ ପଡ଼ିଛି। ବଦ୍ରିନାଥର ଦ୍ବାର ଖୋଲି ଦିଆଯାଇଛି କିନ୍ତୁ ଆଶ୍ରମ,ଦୋକାନ,ଛୋଟ-ବଡ଼ ହୋଟେଲ୍,ରେଷ୍ଟୁରାଣ୍ଟ ଏବଂ ଢ଼ାବା ବନ୍ଦ ରହିଛି। ଉତ୍ତରାଖଣ୍ଡର ଅନ୍ୟ ୩ଟି ଧାମ ପୂର୍ବରୁ ଖୋଲା ଯାଇସାରିଛି।

ଉତ୍ତରକାଶୀ ଜିଲ୍ଲାରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ବାର ଅକ୍ଷୟ ତୃତୀୟା ଦିନ ଖୋଲାଯାଇଥିଲା,ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥ ଧାମର ଦ୍ବାର ଅପ୍ରେଲ୍ ୨୯ତାରିଖରେ ଖୋଲି ଦିଆଯାଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ବଦ୍ରିନାଥ ଧାମର ଦ୍ବାର ଖୋଲିଥିବା ଯୋଗୁଁ ଦେଶ-ବିଦେଶର ଶ୍ରଦ୍ଧାଳୁଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କାମନା କରିଥିଲେ ଯେ ଭଗବାନ ବଦ୍ରିନାଥ ବିଶ୍ବକୁ କରୋନା ଭାଇରସ ମୁକ୍ତ କରିବେ।

   Related Posts