ଚାବି ଲଗାଇ କାର ରଖିଯାଇଥିଲେ ସ୍ବାମୀ, ପଛ ସିଟ୍‌ରେ ବସିଥିଲେ ପତ୍ନୀ, ଗାଡ଼ି ସହ ମହିଳାଙ୍କୁ ବି ଚୋରି କରିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧: ଗାଡ଼ି ଚୋରି ହେବା ଘଟଣା ପ୍ରାୟତଃ ଶୁଣିବାକୁ ମିଳେ। ଏବେ ଅଧିକ ଗାଡ଼ି ଚୋରି ଖବର ଦେଖିବାକୁ ମିଳୁଛି। କିନ୍ତୁ ଗାଡ଼ି ସହ ଗାଡ଼ିରେ ଥିବା ଲୋକକୁ ଚୋରି କରିବା ଘଟଣା ହୁଏତ ଶୁଣିନଥିବେ। ଏମିତି ଏକ ଘଟଣା ପଞ୍ଜାବର ଡେରାବସିରେ ଘଟିଛି। କାର ସହ ସେଥିରେ ବସିଥିବା ଜଣେ ମହିଳାଙ୍କୁ ବି ନେଇଯାଇଥିଲେ ଦୁର୍ବୃତ୍ତ।

ମିଳିଥିବା ସୂଚନା ଅନୁସାରେ ରାଜୀବ ଚାନ୍ଦ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଓ ସ୍ତ୍ରୀଙ୍କ ସହ ଟାଟା ଟିଆଗୋ କାରରେ ସୁଖମନୀ ସ୍କୁଲ ଯାଇଥିଲେ। ପୁଅର ସ୍କୁଲ ଫି ଦେବାକୁ ରାଜୀବ ସ୍କୁଲ ଭିତରକୁ ଯାଇଥିଲେ। ଗେଟ ବାହାରେ ଛିଡ଼ା ହୋଇଥିଲା କାର। କାରରେ ସ୍ତ୍ରୀ ବସିଥିଲେ। କାରରେ ସ୍ତ୍ରୀ ବସିଥିବାରୁ ସେ କାର ଚାବି ଛାଡ଼ି ଯାଇଥିଲେ।

କାରରେ ଚାବି ଲାଗିଥିବା ଦେଖି କିଛି ଦୁର୍ବୃତ୍ତ ଗାଡ଼ି ଚୋରି କରିବାକୁ ପହଞ୍ଚିଥିଲେ। ଗାଡ଼ିରେ ବସି ଷ୍ଟାର୍ଟ କରିବା ସହ ଦ୍ରୁତ ଗତିରେ କାର ନେଇ ଛୁ ମାରିଲେ ଦୁର୍ବୃତ୍ତ। କିଛି ବାଟ ଗଲା ପରେ ପଛ ସିଟ୍‌ରେ ଜଣେ ମହିଳା ବସିଥିବା ଜାଣିବା ପରେ ତାଙ୍କୁ ଅମ୍ବାଲା ଟୋଲ ପ୍ଲାଜା ପାଖରେ ଫିଙ୍ଗି ଦେଇ କାର ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ।

ଏହି ଘଟଣାରେ ପୋଲିସ ଛାନଭିନ କରୁଛି। ଏବେ ଯାଏ ପୋଲିସକୁ ଗାଡ଼ି ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ। ତେବେ ଏହି ଚୋରି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.