ସାବଧାନ ! ରାଜଧାନୀରେ ମାତିଛନ୍ତି ସଶସ୍ତ୍ର ଲୁଟେରା, ସଂଧ୍ୟା ପରେ ଘରୁ ବାହାରିବାକୁ ଡରିଲେଣି ଲୋକେ

Published By : Prameya-News7 Bureau | January 05, 2019 IST

 ଭୁବନେଶ୍ବର ୫|୧: ସାବଧାନରେ ରାଜଧାନୀରେ ମାତିଛନ୍ତି ଲୁଟେରା । ହାତରେ ଖଣ୍ଡା, ପିସ୍ତଲ ଧରି ରାସ୍ତାରେ ଲୋକଙ୍କୁ ଆକ୍ରମଣ କରି ଲୁଟ୍‌ କରୁଛନ୍ତି । ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସହିଦ ନଗର ଜୁଆଡ଼େ ଦେଖ ସିଆଡ଼େ ରାତି ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ହେଲେ ଲୁଟେରାଙ୍କ ଟେର୍‌ ପାଉନି ପୋଲିସ ।

{"id":70724}

ଦେଖନ୍ତୁ ଏହି ଦୃଶ୍ୟକୁ । ଖୋଦ୍‌ ରାଜଧାନୀର ଛାତି ଉପରେ କେମିତି ଆତଙ୍କରାଜ୍‌ ଚଳାଇଛନ୍ତି କିଛି ଯୁବକ । ରାତି ଗୋଟାଏ ବେଳେ ନୟାପଲ୍ଲୀ ଅଂଚଳରେ ଇଏ ହେଉଛି ଲୁଟେରାଙ୍କ ଦୌରାତ୍ମ୍ୟର ଦୃଶ୍ୟ । ହାତରେ ଭୁଜାଲି ଆଉ ପିସ୍ତଲ ଧରି ରାଜଧାନୀର ରାଜରାସ୍ତା ଉପରେ କେମିତି ବେଫିକର ହୋଇ ଚଳାଇଛନ୍ତି ଲୁଟ୍‌ତରାଜ୍‌ । ଏକ କାର୍‌ ଉପରେ କରୁଛନ୍ତି ଆକ୍ରମଣ । ତେବେ କାର୍‌ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟେରାଙ୍କ କବଳରୁ ବର୍ତ୍ତି ଯାଇଛନ୍ତି କାରରେ ଥିବା ଯାତ୍ରୀ । ହେଲେ ଏହି ଘଟଣାର  ୩ଘଣ୍ଟା ପରେ ଅର୍ଥାତ୍‌ ଠିକ୍‌ ରାତି ୪ଟାରେ ଠିକ୍‌ ସେଇ ଯାଗାରେ ଲୁଟେରାଙ୍କ ଶିକାର ହୋଇଛନ୍ତି କେନ୍ଦୁଝରରୁ ଆସିଥିବା ଏହି ଦମ୍ପତି । ଏକ ହୋଟେଲକୁ ଯିବାକୁ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେମାନଙ୍କୁ ଘେରିଯାଇଥିଲେ ଲୁଟେରାମାନେ । ଘଟଣା ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି ।

{"id":70726}

କେବଳ ନୟାପଲ୍ଲୀ ନୁହେଁ, ଗଲା ୨ ତାରିଖ ରାତିରେ ସହିଦନଗର ଓ ଚନ୍ଦ୍ରଶେଖରପୁର ରାସ୍ତାରେ ଆତଙ୍କ ଖେଳାଇଥିଲେ କିଛି ବାଇକ ଲୁଟେରା ।  ରାତି ୧୨ଟା ବେଳେ  ରେଲକୁଞ୍ଜ ରାସ୍ତାରେ ଜଣେ ବାଇକ ଚାଳକଙ୍କୁ ହାଣି ତାଙ୍କର ବାଇକ ଲୁଟିନେଇଥିଲେ ।  ଏମିତିକି ସେଇ ବାଟ ଦେଇ ଯାଉଥିବା କିଛି କାର ଚାଳକ ସେଠାରେ ଅଟକିବାରୁ ସେମାନଙ୍କୁ ମଧ୍ୟ ମାଉଜର ଓ ଖଣ୍ଡା ଦେଖାଇ ଏରିଆ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ଲୁଟେରାମାନେ । ଘଟଣାରେ କେବଳ ଏତଲା ଦାୟର କରି ବସିପଡ଼ିଛି  ଚନ୍ଦ୍ରଶେଖରପୁର ପୋଲିସ ।

{"id":70727}

ନିକଟରେ ରାଜ୍ୟର ବିଭିନ୍ନ ସହରରୁ ଲୁଟେରା ରାଜ୍‌ର ଖବର ଆସୁଥିଲା । ହେଲେ ଏବେ ଖୋଦ୍‌ ରାଜଧାନୀରୁ ଆସିଥିବା ଏହି ଖବର ଚିନ୍ତା ବଢ଼ାଇଦେଇଛି । ସାରାରାତି ଲୁଟେରାଙ୍କ କବ୍‌ଜାକୁ ରାଜଧାନୀ ଭୁବନେଶ୍ବର । ଏଠି ଜନସାଧାରଣଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ଅଛି କି ନାହିଁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.