ବିଚ୍ ରାସ୍ତାରେ ଯୁବତୀଙ୍କ ଭ୍ୟାନିଟି ଲୁଟ୍ ଉଦ୍ୟମ, ବାଇକ ସହ ତଳେ ପଡିଗଲେ ତିନି ଲୁଟେରା, ତା ପରେ...

Published By : Prameya-News7 Bureau | November 08, 2020 IST

ଭୁବନେଶ୍ଵର ୦୮।୧୧: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଜାରି ରହିଛି। କମିସନରେଟ୍ ପୁଲିସର ବାରମ୍ବାର ପାଟ୍ରୋଲିଂ ପରେ ମଧ୍ୟ ଲୁଟପାଟ୍‌ ଥମିବାର ନାଁ ନେଉନାହିଁ। ଏହା ମଧ୍ୟରେ ଗତ ରାତିରେ ରସୁଲଗଡ ଗୋଲେଇ ଛକରେ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା। ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କଠୁ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛନ୍ତି ତିନି ଲୁଟେରା। ଲୁଟ୍ ବେଳେ ବାଇକ୍‌ରୁ ତଳେ ପଡିଯାଇଥିଲେ ମଧ୍ୟ ଘଟଣାସ୍ଥଳୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସ ରାସ୍ତାରେ ପଡିଥିବା ଲୁଟେରାଙ୍କ ଏକ ମୋବାଇଲ ଫୋନ୍ ଜବତ କରି ମଞ୍ଚେଶ୍ଵର ଥାନା ପୁଲିସ ଜିମାରେ ଦେଇଛନ୍ତି। ଲୁଟେରାଙ୍କ ହାବୁଡାରେ ପଡିଥିବା ଯୁବତୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ହସ୍ପିଟାଲର  କର୍ମଚାରୀ ବୋଲି ଜଣା ପଡିଛି।

ଖବର ଅନୁଯାୟୀ, ଯୁବତୀ ଖଣ୍ଡଗିରିରୁ ଆସୁଥିବା ବେଳେ ସେହି ସମୟରେ ତିନି ଜଣ ଲୁଟେରା ଏକ ହଳଦିଆ ରଙ୍ଗର ବାଇକରେ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଆଡୁ ଆସିଥିଲେ। ଗୋଲେଇ ଛକରେ ଯୁବତୀଙ୍କ ଭ୍ୟାନିଟି  ଛଡାଇବାକୁ ଚେଷ୍ଟା କରିଥିଲେ ହେଁ ଯୁବତୀ ଉପସ୍ଥିତି ବୁଦ୍ଧି ଖଟାଇ ବ୍ରେକ୍ ମାରି ଦେବାରୁ ତିନି ଲୁଟେରା ବାଇକ୍ ସହ ତଳେ ପଡି ଯାଇଥିଲେ। ଏହା ଦେଖି ଦୁଇ ଜଣ ଲୁଟେରା ଉଠି ଦୌଡି ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ପ୍ରାଣ ବିକଳରେ ବାଇକ ଷ୍ଟାର୍ଟ କରି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ଫୋନ ତଳେ ପଡି ଯାଇଥିଲା। ଲୁଟେରା ଖଣ୍ଡିଆ ଖାବରା ହୋଇଥିବାରୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଆଖପାଖ ମେଡିକାଲକୁ ଚିକିତ୍ସା ପାଇଁ ଯିବାର ସମ୍ଭାବନା ରହିଛି। ସେହି ହସ୍ପିଟାଲ ଗୁଡିକୁ ପୁଲିସ ଏ ସଂପର୍କରେ ଖବର ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.