ବେଙ୍ଗାଲୁରୁରୁ ଲୁଟ୍, ବାଲେଶ୍ବରରୁ ଜବତ : ଚାଉଳ ଡବାରୁ ମିଳିଲା ୪ଲକ୍ଷ ଟଙ୍କା

Published By : Prameya-News7 Bureau | November 28, 2020 IST

ସୋର ୨୮।୧୧: ବେଙ୍ଗାଲୁରୁରୁ ଚୋରୀ ହୋଇଥିବା ୪ ଲକ୍ଷ ଟଙ୍କା ଜବତ ହେଲା । ଚାଉଳ ଡବାରୁ ଏହି ଟଙ୍କା ମିଳିଥିବା ଜଣାପଡିଛି । ଅଭିଯୋଗରେ ଜଣେ ଗିରଫ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଲିଖଣ୍ଡ ଅଞ୍ଚଳର ଜଣେ ଯୁବକ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଥିଲା । ସିମୁଳିଆ ପୋଲିସ ସହାୟତାରେ ବେଙ୍ଗାଲୁରୁ ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରି ନେଇଯାଇଥିବା ଜଣାପଡିଛି । ସିମୁଳିଆ ଥାନା ଅଞ୍ଚଳର ଗୋଲକ ବିହାରୀଙ୍କ ପୁତ୍ର ବିଶ୍ବାମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରରେ ରହି ଜୟନ୍ତ ରାଉତଙ୍କ  ଔଷଧ ଦୋକାନରେ କାମ କରିଆସୁଥିଲେ । କିଛିଦିନ ତଳେ ବିଶ୍ବମିତ୍ର  ଜୟନ୍ତଙ୍କ ଝିଅକୁ ମାଡ଼ ମାରି ଘରୁ ୨୦ଲକ୍ଷ ଟଙ୍କା, ଦୁଇଟି ସୁନା ଚେନ୍, ଗୋଟିଏ ମୁଦି ଚୋରି କରି ହାଇଦ୍ରାବାଦକୁ ଚାଲିଯାଇଥିଲେ । ସେଠାରେ ତାଙ୍କ ସାଙ୍ଗସାଥୀଙ୍କ ସହିତ ରହି କିଛି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି ।

ଶୁକ୍ରବାର ବେଙ୍ଗାଲୁରୁ ପୋଲିସ ସିମୁଳିଆ ପୋଲିସ ସହାୟତାରେ ବହୁତ ଖୋଜା ଖୋଜି କରି ବିଶ୍ବାମିତ୍ରକୁ ଖଇରା ଅଞ୍ଚଳରୁ ତାଙ୍କ ସମ୍ପର୍କୀୟ ଭଉଣୀ ଘରୁ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ପୋଲିସ ବିଶ୍ଵମିତ୍ରକୁ ଘରକୁ ଆଣିଥିଲା । ସେଠାରେ ତଦନ୍ତ କରିବା ପରେ ଚାଉଳ ଡବା ଭିତରୁ ୪ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ପରେ ବିଶ୍ବାମିତ୍ରକୁ ସିମୁଳିଆ ଥାନାକୁ ଆଣି ବେଙ୍ଗାଲୁରୁକୁ ନେଇଯାଇଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.