ଲକ୍‌ଡାଉନ୍‌ରେ ମାତିଛନ୍ତି ଉତ୍ପାତିଆ : ଘରେ ପଶି ଅସଦାରଚରଣ କଲେ , ହାତ ଭାଙ୍ଗିଲେ , ଥାନାକୁ ଯିବାରୁ ସବୁ ଲୁଟିନେଲେ ‌

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: ମଞ୍ଚେଶ୍ୱର ଥାନା ଚକେଇଶିଆଣିରେ କିଛି ଅସାମାଜିକ ବ୍ୟକ୍ତି ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ କରିବା ସହ ମାଡ଼ ମାରି ହାତ ଭାଙ୍ଗି ଦେଇଛନ୍ତି । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ମହିଳା ଜଣଙ୍କ ଘର ଛାଡି ପଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ଚକେଇଶିଆଣି ଶ୍ରୀରାମ ନଗରରେ ଘର ଭଡ଼ା ନେଇ ପରିବାର ସହ ରହୁଛନ୍ତି ଗଙ୍ଗା (ଛଦ୍ମାନାମ ୨୬ ବର୍ଷ) । ତାଙ୍କ ସ୍ୱାମୀ ବ୍ୟାଙ୍କ୍‌ରେ କାମ କରୁଛନ୍ତି । ଘର ମାଲିକ ସରକାରୀ ଜାଗାରେ ଘର କରି ଭଡା ଦେଇଛନ୍ତି । ପାଣି ପାଇଁ ସବୁବେଳେ ସମସ୍ୟା ରହିଛି । ଗୋଟିଏ ଜାଗାରୁ ସମସ୍ତଙ୍କୁ ପାଣି ନେବାକୁ ପଡ଼େ । ଗତ ବୁଧବାର ଗଙ୍ଗା ପାଣି ନେଉଥିବା ବେଳେ ସେଠାରେ ରହୁଥିବା ଯଶୋଦା ପରିଡା ତାଙ୍କ ପାଣିରେ ଫିନାଇଲ୍‌ ପକାଇ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି ଏବଂ ଉଭୟ ହାତାହାତି ହୋଇଥିଲେ । ଗଙ୍ଗାଙ୍କ ସ୍ୱାମୀ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲା । ପରିସ୍ଥିତି ଶାନ୍ତ ପଡିଥିଲା । ଅପରାହ୍ଣରେ ଯଶୋଦାଙ୍କ ସ୍ୱାମୀ ବିଶ୍ୱନାଥ ଫୋନ୍‌ କରି ଚଗଲା, ଟୁଲୁ ଓ ଅନ୍ୟ କିଛି ସହଯୋଗୀଙ୍କୁ ଶ୍ରୀରାମନଗରକୁ ଡାକିଥିଲେ । ସେମାନେ ପହଞ୍ଚିଲା ପରେ ଗଙ୍ଗାଙ୍କୁ ଗାଳି ମନ୍ଦ କରିଥିଲେ । ଗଙ୍ଗାଙ୍କ ସ୍ୱାମୀ ପୁଣି ପୁଲିସ୍‌କୁ ଫୋନ୍‌ କରୁଥିବା ସମୟରେ ସେମାନେ ଆରମ୍ଭ କରିଥିଲେ ଆକ୍ରମଣ । ଘରର ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଗଙ୍ଗାଙ୍କୁ ଅସଦାଚରଣ କରିଥିଲେ । ମାଡ଼ ମାରି ଗଙ୍ଗାଙ୍କ ହାତ ଭାଙ୍ଗି ଦେଇଥିଲେ । ଆକ୍ରମଣରେ ଗଙ୍ଗାଙ୍କ ଦୁଇ ମାସର ଗର୍ଭ ନଷ୍ଟ ହୋଇଯାଇଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଚ୍ଚ ହୋଇ ଗଙ୍ଗା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।

ପୁଲିସ୍‌ ବିଶ୍ୱନାଥ, ଚଗଲା, ଟୁଲୁଙ୍କ ସହ ଆଉ କିଛି ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ବିରୋଧରେ ୩୫୪/୩୪୧/୩୨୩/୨୯୪/୪୨୭ ଦଫା ଲାଗିଛି । ହେଲେ ପୁଲିସ୍‌ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ଗଙ୍ଗା ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ଭଡା ଘରେ ଥିବା ଜିନିଷପତ୍ର ସବୁ ବିଶ୍ୱନାଥ ଚୋରି କରି ନେଇଛନ୍ତି ବୋଲି ତାଙ୍କ ପଡୋଶୀ ଗଙ୍ଗାଙ୍କୁ ଫୋନ୍‌ କରି ଜଣାଇଛନ୍ତି । ଏ ନେଇ ସେ ପୁଣି ଥାନାରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.