ଗାଡିକୁ ଫଲୋ କରୁଥିଲା ବାଇକ୍, ଖସିପାରିଲେନି ସ୍ମାର୍ଟ ଯୁବତୀ ; ମାମଲା ରଫାଦଫା କିନ୍ତୁ ସତ କଥା ଦେଲା ବେଦନା

Published By : Prameya-News7 Bureau | July 07, 2021 IST

ଭୁବନେଶ୍ୱର :  ସ୍ମାର୍ଟସିଟିରେ ସୁନ୍ଦରୀ ଯୁବତୀଙ୍କ ସ୍ମାର୍ଟ ଚୋରି ଘଟଣା । ମୋବାଇଲ୍‌ ସୋ ରୁମ୍‌ରୁ ୧ ଲକ୍ଷ ୪୦ ହଜାର ଟଙ୍କାର ସ୍ମାର୍ଟ ଫୋନ୍‌ କିଣି ଦୋକାନୀଙ୍କୁ ଚକ୍‌ମା ଦେଇ ଛୁ ହୋଇଯାଇଥିଲେ । ଅବଶ୍ୟ, ସୋ ରୁମ୍‌ ମାଲିକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁନ୍ଦରୀ ଯୁବତୀ ଶେଷରେ ଧରାପଡ଼ିଛନ୍ତି । ଥାନାରେ ୩ ଘଣ୍ଟା ଅଟକ ରହିବା ପରେ ସମସ୍ତ ଟଙ୍କା ପୈଠ କରି ଫେରିଛନ୍ତି । ମାମଲାଟି  ରଫାଦଫା ହୋଇଛି ସତ, କିନ୍ତୁ ସତ କଥା ସମସ୍ତଙ୍କୁ ଦେଇଛି ବେଦନା ।

ଖବର ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୧ଟା ସମୟ । ବାପୁଜୀ ନଗର ‘ସେଲ୍‌ନେଟ୍‌’ ନାମକ ମୋବାଇଲ୍‌ ସୋ ରୁମ୍‌ ସାମ୍ନାରେ ଏକ କାର୍‌ (ପିବି ୦୮ଏଡି ୬୪୪୮) ଲାଗିଲା । ଏଥିରୁ ହାପ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧା ଜଣେ ସୁନ୍ଦରୀ ଯୁବତୀ ଓହ୍ଲାଇଲେ । ବୟସ ପାଖାପାଖି ୨୧ ବର୍ଷ ହେବ । ବେଶଭୂଷାରୁ ବେଶ୍‌ ସମ୍ଭାନ୍ତ ଶ୍ରେଣୀୟ ଲାଗୁଥିଲେ । ସୋ ରୁମ୍‌କୁ ଯାଇ ଦାମୀ ବ୍ରାଣ୍ଡର ମୋବାଇଲ୍‌ ସବୁ ଖୋଜିଲେ । ପରେ ଏକ ଲକ୍ଷ ୪୦ ହଜାର ଟଙ୍କାର ଆଇ-ଫୋନ୍‌ କିଣିବେ ବୋଲି ଦୋକାନୀଙ୍କୁ କହିଥିଲେ ।

ସେଲ୍ସ ମ୍ୟାନ୍‌ ମୋବାଇଲ୍‌କୁ ପ୍ୟାକ୍‌ କରିବା ପରେ ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ଦେଲା ବେଳକୁ ଯୁବତୀଙ୍କ ଡ୍ରାମା ଆରମ୍ଭ ହୋଇଥିଲା । ସେ କହିଲେ, ଏଟିଏମ୍‌ କାର୍ଡ ଖରାପ ହୋଇଯାଇଛି । ଘରକୁ ଆସନ୍ତୁ, ବାପାଙ୍କ ଏଟିଏମ୍‌ରୁ କାଢି ଟଙ୍କା ଦେବି । ଦୋକାନ ମାଲିକ ଜ୍ଞାନରଞ୍ଜନ ମହାପାତ୍ର ଓରଫ୍‌ ଲିଟୁ ତାଙ୍କ ପ୍ରସ୍ତାବରେ ଅରାଜି ହେବା ଦେଖି ଯୁବତୀ ନେହୁରା ହୋଇ କହିଥିଲେ, ଭାଇ ମୁଁ ଆପଣଙ୍କ ଜଣେ ଷ୍ଟାଫ୍‌କୁ ନିଜ କାରରେ ନେଇଯିବି । ତାଙ୍କୁ ପୁଣି ଆଣି ଦୋକାନରେ ଛାଡିଦେବି ।

ଏକଥା ଶୁଣିବା ପରେ ଲିଟୁ ତାଙ୍କ ସେଲ୍ସ ମ୍ୟାନ୍‌ ସୁଦର୍ଶନଙ୍କୁ ଯୁବତୀଙ୍କ ସାଙ୍ଗରେ ପଠାଇଥିଲେ । ତଥାପି ଯୁବତୀଙ୍କ ହାବଭାବରେ ସନ୍ଦେହ ହେଉଥିବାରୁ କ୍ରିଷ୍ଣା ନାମକ ଅନ୍ୟ ଜଣେ କର୍ମଚାରୀକୁ ବାଇକ୍‌ ଧରାଇ ଉଭୟଙ୍କ ପଛରେ ଛାଡିଥିଲେ । ଯୁବତୀଜଣକ ସହିଦନଗର ପାଣିଟାଙ୍କି ପାଖ ‘ସାଇ ସୁଦର୍ଶନ ଆପାର୍ଟମେଣ୍ଟ‘ ଯାଏଁ ଯିବାର ଥିଲା । କିନ୍ତୁ ଆପାର୍ଟମେଣ୍ଟର କିଛି ବାଟ ପୂର୍ବରୁ କାର୍‌ ରଖି ସୁଦର୍ଶନଙ୍କୁ କହିଥିଲେ, ୧୦୦ ଟଙ୍କା ନିଅ । ଦୟାକରୀ ପାଖ ଦୋକାନରୁ ଏକ ଖାଇବା ତେଲ କିଣି ଆଣିବ ।

ସୁଦର୍ଶନ କାର୍‌ରୁ ଓହ୍ଲାଇବା ପରେ ଯୁବତୀ କାର୍‌ ନେଇ ସିଧା ନିଜ ଆପାର୍ଟମେଣ୍ଟ ଭିତରକୁ ପଳାଇଲେ । ସେପଟେ ପଛରେ ବାଇକ୍‌ରେ ଆସୁଥିବା କ୍ରିଷ୍ଣା ତୁରନ୍ତ ସୁଦର୍ଶନଙ୍କୁ ପଛରେ ବସାଇ ଯୁବତୀଙ୍କ ପିଛା କଲେ । ଅନେକ ଖୋଜାଖୋଜି ପରେ ଉକ୍ତ ଆପାର୍ଟମେଣ୍ଟରେ ଯୁବତୀଙ୍କୁ ଦେଖି ସହିଦନଗର ଥାନାରେ ଅଭିଯୋଗ କଲେ । ପୁଲିସ ଘଟଣାସ୍ଥଳକୁ ଯାଇ ଯୁବତୀଙ୍କୁ ଆଣି ଥାନାରେ ବସାଇଥିଲେ । ଥାନାରେ ଅନେକ ପଚାରିବା ସତ୍ତେ୍ୱ ସେ ମୋବାଇଲ ନେଇ ନଥିବା କହିଥିଲେ । ପରେ ତାଙ୍କ ଭଉଣୀ ଆସି ସମସ୍ତ ଟଙ୍କା ପୈଠ କରିବା ପରେ ପୁଲିସ ଯୁବତୀଙ୍କୁ ଛାଡି଼ଥିଲା ।

ସୋ ରୁମ୍‌ ମାଲିକ ଲିଟୁ କହିଛନ୍ତି, ପ୍ରଥମେ ଥାନାରେ ଅଭିଯୋଗ କରିଥିଲୁ । କିନ୍ତୁ ତାଙ୍କ ଭଉଣୀ ଟଙ୍କା ପୈଠ କରିବା ସହ କୌଣସି ପଦକ୍ଷେପ ନ ନେବା ପାଇଁ ନେହୁରା ହୋଇଥିଲେ । ତେଣୁ କୌଣସି ଅଭିଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛୁ । ସେପଟେ ପୁଲିସ କହିଛି, ଯୁବତୀଙ୍କ ମା’ ମାନସିକ ରୋଗୀ ଥିଲେ । ସେ ୩ ବର୍ଷ ହେଲା କୁଆଡେ ପଳାଇଛନ୍ତି । ତାଙ୍କ ଭଉଣୀଙ୍କ କହିବା ମୁତାବକ, ସେ ମଧ୍ୟ ମାନସିକ ସ୍ତରରେ ପୀଡିତ଼ । ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.