ବାଇକ୍ ରଖି ଜେରକ୍ସ କରିବାକୁ ଯାଇଥିଲେ ଶିକ୍ଷକ, ଫେରିଲା ବେଳକୁ ଡିକିରେ ଥିବା ୭୬ ହଜାର ଟଙ୍କା ଗାଏବ
14/09/2020 at 9:54 PM

ବୌଦ୍ଧ,୧୪|୦୯: ସୋମବାର ଅପରାହ୍ନ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ୱର ବଜାର ନିକଟରୁ ଜଣେ ଶିକ୍ଷକଙ୍କଠୁ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ୭୬ ହଜାର ୩ ଶହ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ପ୍ରତାପ କିଶୋର ବେହେରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଟଙ୍କା ଉଠାଣ ପାଇଁ ପୁରୁଣା କଟକ ଷ୍ଟେଟ୍ବ୍ୟାଙ୍କକୁ ଯାଇଥିଲେ । ବିଦ୍ୟାଳୟ ଜମାଖାତାରୁ ୭୬,୩୦୦ ଟଂକା ଉଠାଣ କରି ନିଜ କୋଇଲିସୁତାକୁ ବାଇକ ଯୋଗେ ଫେରୁଥିବା ବେଳେ କିଛି ଜେରକ୍ସ କରିବା ପାଇଁ ବାଇକ ରଖି ଦୋକାନକୁ ଯାଇଥିଲେ । ସେଠାରୁ ଫେରି ଦେଖିବା ବେଳକୁ ଡିକି ଭାଙ୍ଗି କେହି ସମସ୍ତ ଟଙ୍କା ଓ ଅନ୍ୟ କାଗଜ ପତ୍ର ନେଇ ଯାଇଛି । ଏ ସମ୍ପର୍କରେ ପୁରୁଣାକଟକ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।