କରୋନାର ଭୟାବହ ଦୃଶ୍ୟ: ବାରାଣାସୀ ହରିଶ୍ଚନ୍ଦ୍ର ଘାଟରେ ଏକାସାଙ୍ଗେ ଜଳୁଛି ମାଳ ମାଳ ଜୁଇ

Published By : Prameya-News7 Bureau | April 16, 2021 IST

ବାରାଣାସୀ ୧୬/୦୪ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରୁ କରୋନାର ଭୟାବହ ଦୃଶ୍ୟ ସାମ୍ନାକୁ ଆସିଛି। ଚାରିଆଡେ କରୋନାର ପ୍ରକୋପ। ରାସ୍ତାଘାଟ ପୁଣି ଶୂନଶାନ ହୋଇଯାଇଛି। ଜୋରସୋରରେ ବୃଦ୍ଧି ପାଉଥିବା ସଂକ୍ରମଣ ଲୋକଙ୍କ ନିଦ ହଜାଇ ଦେଇଛି। ଘରେ ଘରେ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି। ଗୋଟିଏ ଗୋଟିଏ ଘରେ ଦୁଇ-ତିନି ଜଣକ ମୃତ୍ୟୁ ହେଉଛି। କେହି କିଛି ବୁଝି ପାରୁନାହାନ୍ତି କଣ ହେବ।

ବାରାଣାସୀ ହରିଶ୍ଚନ୍ଦ୍ର ଘାଟର ବିଭୀଷିକା ଦର୍ଶାଉଛି କରୋନା କେତେ ଭୟଙ୍କର। ଘାଟରେ ସକାଳୁ ଶବର ଲମ୍ବା ଧାଡି ଲାଗିଛି। ଏକାସାଙ୍ଗେ ମାଳ ମାଳ ଜୁଇ ଜଳୁଛି। ଆହୁରି ଦୁଇ ଡଜନ ଶବ ଅପେକ୍ଷାରେ। ହରିଶ୍ଚନ୍ଦ୍ର ଘାଟରେ ଅନ୍ତିମ ସଂସ୍କାରର ଦୁଇଟି ତରିକା ଅଛି, ଗୋଟିଏ ବିଜୁଳି ସାହାଯ୍ୟରେ ଓ ଅନ୍ୟଟି କାଠ ସାହାଯ୍ୟରେ। ଉଭୟ ସ୍ଥାନରେ ଧାଡି ଧାଡି ହୋଇ ଶବ ଥୁଆହୋଇଛି। ଗୋଟିଏ ଶବ ପୋଡ଼ିବାକୁ ପାଖାପାଖି ୭ ରୁ ୮ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସ୍ଥିତି ଗୋଟିଏ ପ୍ରକାର ଭୟାବହ ହୋଇଛି। ଶବ ଜଳାଇବାକୁ ପରିଜନ ଠିକ ଦେଇ ଘରକୁ ଚାଲି ଯାଉଛନ୍ତି। ସ୍ମଶାନ ଘାଟରେ ଶବ ପୋଡ଼ିବାକୁ କାଠ ମଧ୍ୟ ଅଭାବ ପଡ଼ିଲାଣି। ବାରାଣାସୀ ମାଣିକର୍ଣ୍ଣିକା ଘାଟର ଦୃଶ୍ୟ ମଧ୍ୟ ଏହିଭଳି। ସେଠାରେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ଧାଡି ଧାଡି ହୋଇ ଶବ ରଖାଯାଇଛି।

ଗୁରୁବାର ଦିନ ଉତ୍ତର ପ୍ରଦେଶରେ ୨୨ ହଜାର ୪୩୯ ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଦୈନିକ ସଂକ୍ରମଣ ମାମଲାରେ ସର୍ବାଧିକ। ଗୋଟିଏ ଦିନରେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.