ଅଣାୟତ୍ତ କରୋନା ! ‘ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଭର୍ତ୍ତି ହୋଇଯିବ ଲଣ୍ଡନର ହସ୍ପିଟାଲ୍ , ରୋଗୀଙ୍କୁ ମିଳିବନି ବେଡ୍’
10/01/2021 at 7:51 PM

ନୂଆଦିଲ୍ଲୀ ୧୦/୦୧: ବ୍ରିଟେନରେ କରୋନାର ନୂଆ ରୂପ ତାଣ୍ଡବ ରଚିଛି। ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ସ୍ଥିତି ଅଣାୟତ୍ତ। ହସ୍ପିଟାଲରେ ବେଡ୍ ମିଳିବା ଏକପ୍ରକାର ମୁସକିଲ ହୋଇଗଲାଣି। ଯଦି କରୋନା ସ୍ଥିତି ଆୟତ୍ତକୁ ନଆସେ ବା ସଂକ୍ରମଣ ସଂଖ୍ୟା ନକମେ ତେବେ ଦୁଇ ସପ୍ତାହରେ ହସ୍ପିଟାଲଗୁଡ଼ିକରେ ରୋଗୀ ଭର୍ତ୍ତି ହୋଇଯିବେ। ଏପରିକି ବେଡ୍ ଆଉ ମିଳିବନି ବୋଲି ମେୟର ସାଦିକ୍ ଖାନ ରବିବାର କହିଛନ୍ତି।
ଲଣ୍ଡନରେ କରୋନା ଭୂତାଣୁ ପୁଣି ଥରେ ଭୟାବହ ସ୍ଥିତିକୁ ପଳାଇଥିବା ବେଳେ ଶୁକ୍ରବାର ଏହାକୁ ମେଜର ଇନସିଡେଣ୍ଟ ବୋଲି ମେୟର ଘୋଷଣା କରିଥିଲି। ଏପରିକି ହସ୍ପିଟାଲରେ ଭିଡ଼ ନଜମାଇ ଘରେ ରହିବାକୁ ବି ସେ ନିବେଦନ କରିଥିଲେ। ତଥାପି ହସ୍ପିଟାଲ ଭର୍ତ୍ତି ହେବାକୁ ବସିଲାଣି। ବେଡ ବି ମିଳିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ହସ୍ପିଟାଲ ଭର୍ତ୍ତି ହେବା ଆଶଙ୍କା କରି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ଯୋଗାଇଦୋବକୁ କହିଛନ୍ତି ମେୟର ସାଦିକ୍ ଖାନ। ଲୋକମାନେ ଯେଉଁଭଳି ନିଜେ ଆଇସୋଲେସନ୍ରେ ରହିବେ ସେନେଇ ବ୍ୟବସ୍ଥା କରାଯିବାକୁ ଅର୍ଥର ଆବଶ୍ୟକତା ରହିଛି। ଏପରିକି କାର୍ଯ୍ୟ କରିପାରୁନଥିବା ଲୋକଙ୍କୁ ବି ଆର୍ଥିକ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।