‘ଟିକ୍‌ଟକ୍‌’କୁ କାଠଗଡ଼ାକୁ ଟାଣିଲେ ୧୨ ବର୍ଷୀୟା ନାବାଳିକା, ପରିଚୟ ଗୋପନ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି ପରେ ଚାଲିଲା ମାମଲା

Published By : Prameya-News7 Bureau | December 31, 2020 IST

ଲଣ୍ଡନ ୩୧/୧୨: ଇଂଲଣ୍ଡରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ‘ଟିକ୍‌ଟକ୍‌’ ! ଚୀନ ଭିଡିଓ ମେକର ଆପ୍‌ ‘ଟିକ୍‌ଟକ୍‌’କୁ କାଠଗଡ଼ାକୁ ଟାଣିଲେ ୧୨ ବର୍ଷୀୟା ନାବାଳିକା। ନାବାଳିକାକଙ୍କ ପରିଚୟ ଗୋପନୀୟତାକୁ କୋର୍ଟ ସୁନିଶ୍ଚିତ କରିବା ପରେ ଏବେ ସେ ଟିକ୍‌ଟକ୍‌ ବିରୋଧରେ ଅଭିଯୋଗ ଆଣିଛନ୍ତି। ୟୁରୋପୀୟ ସଂଘର ଡାଟା ନିୟମର ଧଜିଆ ଉଡ଼ାଉଥିବା ଅଭିଯୋଗରେ ନାବାଳିକା ଟିକ୍‌ଟକକୁ କୋର୍ଟକୁ ଟାଣିଛନ୍ତି । ତେବେ ତାଙ୍କର ଗୋପନୀୟତାକୁ ଅନୁମତି ଦେଇଛନ୍ତି ଲଣ୍ଡନର ଜଜ୍‌ ମାର୍କ ଓ୍ବାରବାୟ।

ଠିକ ଅବା ଭୁଲ ପାଇଁ ହେଉ ଯେତେବେଳେ ଜଣେ ଶିଶୁ କୋର୍ଟଙ୍କ ଦ୍ବାରସ୍ଥ ହେ​‌ବେ ତାଙ୍କର ଗୋପନୀୟତା ଜରୁରି ବୋଲି ବୁଧବାର ରାୟ ଶୁଣାଇଛନ୍ତି ଜଜ ମାର୍କ ଓ୍ବାରବାୟ। ଯଦି ନାବାଳିକାଙ୍କ ଗୋପନୀୟତାକୁ ଅନୁମତି ଦିଆନଯାଏ ତେବେ ଡାଟା ସୁରକ୍ଷାକୁ ନେଇ ସେ ଆଣିଥିବା ଅଭିଯୋଗ ଉପରେ ପ୍ରଭାବ ପଡ଼ିବ ବୋଲି ଜଜ୍‌ ଓ୍ବାରବାୟ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପିଲାଙ୍କ ଡାଟା ଚୋରି କରିବା ମାମଲାରେ ଟିକ୍‌ଟକ୍‌କୁ ବହୁବାର ୟୁରୋପୀୟ ସଂଘ ପଞ୍ଜିକୃତ କରିଛି। ଚୀନ କମ୍ପାନୀ ବିରୋଧରେ ତଦନ୍ତ କରିବାକୁ ବି ଜୁନରେ ଡାଟା ସୁରକ୍ଷା ମୁଖ୍ୟ କହିଥିଲେ। ଏହାସହ ଟାସ୍କଫୋର୍ସ ଗଠନ କରି ଟିକ୍‌ଟକ୍‌ର ଆଭିମୁଖ୍ୟ ଉପରେ ଯାଞ୍ଚ କରିବାକୁ ବି ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ନାବାଳିକା ଜଣଙ୍କ ତିଆରି କରିଥିବା ଅଭିଯୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିଲେ ବି ଏହାର ଶେଷ ପର୍ଯ୍ୟାୟ ଟିକ୍‌ଟକ୍‌ର ଆଭିମୁଖ୍ୟ ସ୍ପଷ୍ଟ କରିପାରିବ ବୋଲି ଜଜ ଓ୍ବାରବାୟ କହିଛନ୍ତି। ସେପଟେ କିନ୍ତୁ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ପ୍ରତ୍ୟେକ ୟୁଜରଙ୍କ ଗୋପନୀୟତାକୁ ସୁନିଶ୍ଚିତ କରିବାକୁ ସବୁ ପ୍ରକାର ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଛୁ। ତେବେ ଏନେଇ ଟିକ୍‌ଟକ୍‌କୁ କୌଣସି ନୋଟିସ୍‌ କରାଯାଇନଥିବା ବେଳେ କମ୍ପାନୀ ଅଭିଯୋଗ ସମ୍ପର୍କରେ ଅବଗତ ହୋଇସାରିଛି।

ଏହି ୧୨ ବର୍ଷୀୟା ନାବାଳିକାଙ୍କ ସପକ୍ଷରେ ଆସିଛନ୍ତି ଇଂଲଣ୍ଡର ଶିଶୁ କମିଶନର ଆନେ ଲଙ୍ଗଫିଲ୍ଡ। ଟିକ୍‌ଟକ୍‌ ଲୋକପ୍ରିୟତା ହାସଲ କରିଥିବା ବେଳେ ଏଥିପାଇଁ ଶିଶୁମାନଙ୍କ ପ୍ରତି ବିପଦ ବଢ଼ିଛି। ତେଣୁ ଅଭିଯୋଗକରୀଙ୍କ ତଥ୍ୟ ପ୍ରଘଟ ହେଲେ ଏନେଇ ରିସ୍କ ବୃଦ୍ଧି ପାଇବାର ଆଶଙ୍କା ଅଧିକ ଅଛି ବୋଲି ମଧ୍ୟ ଲଙ୍ଗଫିଲ୍ଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.