ଗୋଲାପି ହେଲା ମହାରାଷ୍ଟ୍ରର ଲୋନାର ହ୍ରଦ, ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ
11/06/2020 at 1:17 PM

ବୁଲଢାଣା ୧୧।୬: ମହାରାଷ୍ଟ୍ର ବୁଲଢାଣା ଜିଲ୍ଲାରେ ଅବସ୍ଥିତ ଲୋନାର ହ୍ରଦ ଅଚାନକ ଗୋଲାପି ରଙ୍ଗ ଧାରଣ କରିଛି। ଦେଶରେ କରୋନା ଲକଡାଉନ୍ ଯୋଗୁ ଏଠାକୁ ପର୍ଯ୍ୟଟକଙ୍କ ଗତାଗତ ବନ୍ଦ ରହିଛି। ଏଥିରେ ହ୍ରଦର ରଙ୍ଗ ବଦଳିବା ଖବର ନିକଟବର୍ତ୍ତି ଅଞ୍ଚଳରେ ପ୍ରଚାରିତ ହେବା ପରେ ବିଶେଷଜ୍ଞଙ୍କ ଦଳ ହ୍ରଦ ପରିଦର୍ଶନ କରି ଫେରିଛନ୍ତି। ତେବେ ସାଧାରଣ ଜଳାଶୟର ରଙ୍ଗ ନେଳି ଅଥବା ନୀଳ ରହୁଥିବା ବେଳେ ଲୋନାର ହ୍ରଦର ରଙ୍ଗ ଗୋଲାପି ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ଏହି ହ୍ରଦ ଟି ବର୍ଷବର୍ଷରୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହିଆସିଛି। ତେବେ ଗତ ମାର୍ଚ୍ଚ ୨୫ ତାରିଖରୁ କରୋନା ଲକଡାଉନ ଯୋଗୁ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ବାଧିତ ହୋଇଛି। ୧.୨ କିଲୋମିଟର ପରିଧିର ଏହି ହ୍ରଦଟି ପ୍ରାୟ ୫୦ ହଜାର ବର୍ଷ ପୂର୍ବେ ପୃଥିବୀ ସହ ଉଲକା ପିଣ୍ଡ ଧକ୍କା ଲାଗିବା ଯୋଗୁ ସୃଷ୍ଟି ହୋଇଥିଲା। ଏହି ହ୍ରଦର ରଙ୍ଗ ପ୍ରାୟତଃ ବଦଳି ଥାଏ। ହେଲେ ପର୍ଯ୍ୟଟକଙ୍କ ଗହଳି ଯୋଗୁ ଜଣାପଡିନଥାଏ। ତେବେ ଚଳିତବର୍ଷ ହ୍ରଦ ଗୋଲାପିରଙ୍ଗ ଧାରଣ କରିଥିବା ବେଶ ଦୂରକୁ ଦେଖାଯାଉଛି।

ଏହି ହ୍ରଦ ଦେଶର ଅନ୍ୟ ନ୍ୟାସନାଲ ହେରିଟେଜ୍ ସ୍ଥଳମାନଙ୍କ ମଧ୍ୟରେ ଅନ୍ୟତମ। ତେବେ ଏହି ହ୍ରଦର ପାଣି ଖାରିଆ ଓ ଜଳର ମାନ (ପିଏଚ୍) ୧୦.୫। ସମୁଦ୍ର ଆଖପାଖରେ ନଥାଇ ମଧ୍ୟ ଏହି ହ୍ରଦରେ ଶୈବାଳର ଉପସ୍ଥିତି ଅଛି। ବୁଲଢଣା ଭଳି ଇରାନରେ ମଧ୍ୟ ଏହି ଭଳି ଏକ ହ୍ରଦ ରହିଛି। ଯାହାର ପାଣି ଲବଣାକ୍ତ। ଜଳ ଅତ୍ୟାଧିକ ଲୁଣି ହେଲେ ଏଠାରେ ପାଣିର ରଙ୍ଗ ବଦଳି ଥାଏ। ତେବେ ଲୋନାର ହ୍ରଦ କଥା ଭିନ୍ନ ଏଠାରେ ଋତୁ ପରିବର୍ତ୍ତନ ସହ ହ୍ରଦର ରଙ୍ଗ ବଦଳି ଥାଏ ବୋଲି ମରାଠାବାଡ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗ ମୁଖ୍ୟ ଡା. ମଦନ ସୂର୍ଯ୍ୟବଂଶୀ କହିଛନ୍ତି।