୨୩ରେ ଫଳାଫଳ: ୩୦ଟି ଜିଲ୍ଲାର ୬୩ କାଉଣ୍ଟିଂ ସେଣ୍ଟରରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ଗଣତି ହେବ

Published By : Prameya-News7 Bureau | May 20, 2019 IST

ମେ' ୨୩ ଭୋଟ୍ ଗଣତି ଲାଗି ରାଜ୍ୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୦ଟି  ଜିଲ୍ଲାର ୬୩ କାଉଣ୍ଟିଂ ସେଣ୍ଟରରେ ଉଭୟ ଲୋକସଭା ଓ ବିଧାନସଭା ଲାଗି ଗଣତି ହେବ । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ । ଏମପି ଓ ଏମଏଲଏ ଆସନ ଲାଗି ୭ଟି ଲେଖାଏଁ ଟେବୁଲରେ କାଉଣ୍ଟିଂ କରାଯିବ ।

୧୪୬ ବିଧାନସଭା, ୨୧ ଲୋକସଭା । ଗଣତି ୨୩ରେ । କାଉଣ୍ଟିଂ ସେଣ୍ଟର୍ ୬୩ । ମେ' ୨୩ ଯେତେ ପାଖଉଛି, ସମସ୍ତଙ୍କ ହୃତସ୍ପନ୍ଦନ ସେତେ ବଢୁଛି । ଦିଲ୍ଲୀ ଗାଦିରେ କିଏ ବସିବ, ଭୁବନେଶ୍ୱର ସିଂହାସନ କାହାର ହେବ ତାହାର ଫଇସଲା ହେବ । ଆଉ ସେପଟେ ଗଣତି ଲାଗି ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

୩୦ଟି ଜିଲ୍ଲାରେ ୬୩ କାଉଣ୍ଟିଂ ସେଣ୍ଟର ପ୍ରସ୍ତୁତ କରାଯାଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଭୁବନେଶ୍ୱର ଲୋକସଭା ସହ ୪ଟି ଆସନ ବିଧାନସଭାର ଗଣତି ବିଜେବି କଲେଜରେ ହେବାକୁ ଥିବା ବେଳେ ବାକି ୩ଟି ବିଧାନସଭାର ଗଣତି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହେବ ।

ସେହିଭଳି ସମ୍ବଲପୁର ଲୋକସଭା ଓ ଏହା ଅଧୀନ ବିଧାନସଭାର ଗଣତି କୁଚିଣ୍ଡା କଲେଜ, ସମ୍ବଲପୁର ମହିଳା ମହାବିଦ୍ୟାଳୟ ଓ ରେଢାଖୋଲ ଭୀମଭୋଇ କଲେଜରେ ହେବ । କଟକର ଗଣତି ଭୁବନାନନ୍ଦ ଓଡ଼ିଶା ଇଞ୍ଜିନିୟରିଂ କଲେଜରେ ଏବଂ ଗଞ୍ଜାମ ଜିଲ୍ଲାର ଗଣତି ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁରର ୨ଟି କାଉଣ୍ଟିଂ ସେଣ୍ଟରରେ କରାଯିବ ।

ପ୍ରତିଟି ସେଣ୍ଟରରେ ଲୋକସଭା ଲାଗି ୭ଟି ଓ ବିଧାନସଭା ଲାଗି ୭ଟି ଲେଖାଏଁ କାଉଣ୍ଟିଂ ଟେବୁଲ୍ ରଖିବାକୁ ବ୍ୟବସ୍ଥା କରାଯାଇଛି । ତେବେ କିଛି ଜିଲ୍ଲାର ନିର୍ବାଚନ ଅଧିକାରୀ ସେଣ୍ଟରରେ ଅଧିକ ସ୍ଥାନ ଥିବା ଦର୍ଶାଇ ଅଧିକ ଟେବୁଲ୍ ଲାଗି ଆବେଦନ କରିଛନ୍ତି । ପ୍ରାର୍ଥୀ ମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଫଳାଫଳ ବାହାରିବ ।

ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ଲେଖାଏଁ ବୁଥରେ ଇଭିଏମ ଫଳ ସହ ଭିଭିପାଟ୍ ସ୍ଲିପକୁ ଟାଲି କରାଯିବ । ଆଉ ଏହି ବୁଥ୍ ଗୁଡ଼ିକ ଲଟେରୀ ମାଧ୍ୟମରେ ଚୟନ କରାଯିବ । ତେବେ ଏହି ପ୍ରକ୍ରିୟା ଲାଗି ଏଥର ସଂପୂ୍ର୍ଣ୍ଣ ଫଳ ଆସିବା ନେଇ ୨୦୧୪ଠାରୁ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି ।

ସମସ୍ତ ଆସନର ଫଳାଫଳ ଆନୁଷ୍ଠାନିକ ଭାବେ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରକାଶ କରାଯିବ । ସିଇଓଙ୍କ କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମରେ ରାଉଣ୍ଡ ଅନୁସାରେ ରେଜଲ୍ଟ ଅପେଡଟ୍ କରାଯିବ ।  କାଉଣ୍ଟିଂ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କାଉଣ୍ଟିଂ ସେଣ୍ଟର ଗୁଡ଼ିକୁ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.