ସଙ୍କଟରେ ଲୋକେଶ ରାହୁଲଙ୍କ ଅରେଞ୍ଜ କ୍ୟାପ୍, ଦୌଡରେ ଅଛନ୍ତି ଏହି ଦୁଇ ଖେଳାଳି

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭।୧୧: ଆଇପିଏଲର ୧୩ତମ ସଂସ୍କରଣରେ ଆଉ ଦୁଇଟି ମ୍ୟାଚ୍‌ ଖେଳାଯିବା ବାକି ରହିଛି। ମୁମ୍ଵାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ  କରି ସାରିଛି। ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ ଖେଳାଯିବ। ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ ପାଇଁ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି। ବର୍ତ୍ତମାନ ଅରେଞ୍ଜ କ୍ୟାପ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲଙ୍କ ପାଖରେ ରହିଛି। ସେ ଟୂର୍ଣ୍ଣାମେଣ୍ଟରେ ସର୍ବାଧିକ ୬୭୦ ରନ କରିଛନ୍ତି। ଟୂର୍ଣ୍ଣାମେଣ୍ଟର ଶେଷ ହେବାକୁ ଆଉ ୨ଟି ମ୍ୟାଚ୍ ବାକି ରହିଛି। ଏମିତିରେ ଅରେଞ୍ଜ କ୍ୟାପ୍ ଉପରେ ଦୁଇ ବ୍ୟାଟସମ୍ୟାନଙ୍କ ନଜର ରହିଛି। ସେ ହେଉଛନ୍ତି ଡେଭିଡ୍ ଓ୍ଵାର୍ଣ୍ଣର ଓ ଶିଖର ଧାଓ୍ଵନ। କଣ ଏହି ଦୁଇ ଖେଳାଳି ରାହୁଲଙ୍କ ରେକର୍ଡ କାଟି ପାରିବେ ? ତେଣୁ ଲୋକେଶ ରାହୁଲଙ୍କ ଅରେଞ୍ଜ କ୍ୟାପ୍ ସଙ୍କଟରେ ପଡିଛି।

କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ ଏଥର ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ମାତ୍ର ଅଧିନାୟକ ଲୋକେଶ ରାହୁଲ ଏଥର ରନର ପାହାଡ ଛିଡା କରିଛନ୍ତି। ରାହୁଲ ୫୫ରୁ ଅଧିକ ହାରରେ ୬୭୦ ରନ କରିଛନ୍ତି। ଏଥିରେ ୧ ଶତକ ଏବଂ ୫ ଅର୍ଦ୍ଧଶତକ ସାମିଲ। ସେ ସର୍ବାଧିକ ୫୮ଟି ଚୌକା ମଧ୍ୟ ଲଗାଇଛନ୍ତି। ୨୦୧୮ ସିଜିନରେ ମଧ୍ୟ ରାହୁଲ ୬୫୯ ରନ କରି ତୃତୀୟ ସ୍ଥାନରେ ଥିଲେ। ଗତ ବର୍ଷ ଅର୍ଥାତ ୨୦୧୯ ୧୨ତମ ସଂସ୍କରଣରେ ସେ ୫୯୩ ରନ କରିଥିଲେ।

ଦୌଡରେ ଡେଭିଡ୍ ଓ୍ଵାର୍ଣ୍ଣର

{"id":357797,"sizeSlug":"large"}

ଅରେଞ୍ଜ କ୍ୟାପ୍‌ ଉପରେ ପୁଣି ଥରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ନଜର ରହିଛି। ସେ ଏ ପର୍ଯ୍ୟନ୍ତ ୫୪୬ ରନ କରିଛନ୍ତି। ଅର୍ଥାତ ୧୨୪ ରନ ପଛରେ ଅଛନ୍ତି। ଯଦି ସନରାଇଜର୍ସ ଫାଇନାଲରେ ପ୍ରବେଶ କରେ ତେବେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ପାଖରେ ଲୋକେଶ ରାହୁଲଙ୍କ ରେକର୍ଡ କାଟିବାର ସୁଯୋଗ ରହିବ। ଚଳିତ ସଂସ୍କରଣରେ ଓ୍ଵାର୍ଣ୍ଣର ଏ ପର୍ଯ୍ୟନ୍ତ ୪ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧ୍ୟ ଡେଭିଡ୍ ଓ୍ଵାର୍ଣ୍ଣର ଅରେଞ୍ଜ କ୍ୟାପର ଅଧିକାରୀ ହୋଇଥିଲେ। ସେ ସର୍ବାଧିକ ୬୯୨ ରନ କରିଥିଲେ।

କ୍ୟାପ୍ ଉପରେ ଧାଓ୍ଵନଙ୍କ ନଜର

{"id":357798,"sizeSlug":"large"}

ଅରେଞ୍ଜ କ୍ୟାପ୍‌ ଉପରେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧାଓ୍ଵନଙ୍କ ମଧ୍ୟ ନଜର ରହିଛି। ସେ ଏ ପର୍ଯ୍ୟନ୍ତ ୧୫ ମ୍ୟାଚ୍‌ରୁ ୫୨୫ ରନ କରିଛନ୍ତି। ଖାସ୍ କଥା ଧାଓ୍ଵନ ଚଳିତ ଆଇପିଏଲରେ ଦୁଇଟି ଶତକ ଅର୍ଜନ କରିଛନ୍ତି ସେ ପୁଣି ଲଗାତାର ଦୁଇଟି ମ୍ୟାଚ୍‌ରେ। ସେ ଏବେ ଲୋକେଶ ରାହୁଲଙ୍କଠୁ ୧୪୫ ରନ ପଛରେ ଅଛନ୍ତି। ଯଦି ଦିଲ୍ଲୀ ଟିମ୍ ଫାଇନାଲରେ ପହଞ୍ଚେ ତେବେ ଧାଓ୍ଵନଙ୍କ ପାଖରେ ଦୁଇଟି ସୁଯୋଗ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.