ମହାରାଷ୍ଟ୍ରକୁ ନେଇ ଲୋକସଭାରେ ହଙ୍ଗାମା, ମାର୍ସଲଙ୍କ ସହ ଧସ୍ତାଧସ୍ତି କରି କଂଗ୍ରେସର ୨ ସାଂସଦ ନିଲମ୍ବିତ
25/11/2019 at 3:43 PM

ନୂଆଦିଲ୍ଲୀ ୨୫।୧୧: ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ ସୋମବାର ସଂସଦରେ କଂଗ୍ରେସ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା। ଏଥିଲାଗି ଗୃହରେ ତୁମୁଳ ହଟ୍ଟଗୋଳ ହୋଇଥିବା ବେଳେ କଂଗ୍ରେସର ସାଂସଦ ହିବି ଏଡେନ ଓ ପ୍ରତାପନ ମାର୍ସଲଙ୍କ ସହ ଧସ୍ତା ଧସ୍ତି କରିଥିଲେ। ଏଣୁ ବାଚଷ୍ପତ୍ତି ଓମ ବିରଳା ଉଭୟ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରିଛନ୍ତି।

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସୋମବାର ସଂସଦର ଉଭୟ ସଦନରେ ଅଚଳାବସ୍ଥା ଉପୁଜିଥିଲା। ବାଚସ୍ପତି ଲୋକସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିବା ପରେ ଗୃହକାର୍ଯ୍ୟ ପୁଣି ଆରମ୍ଭ କରିଥିଲେ। ହେଲେ ଗୃହରେ ହଟ୍ଟଗୋଳ ଲାଗିରହିବା ଯୋଗୁ ବାଚସ୍ପତି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ। ତେବେ ଗୃହରେ ରାହୁଲ ଗାନ୍ଧିଙ୍କ ବୟାନ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ବାଚସ୍ପତି ରାହୁଲଙ୍କୁ ପ୍ରଶ୍ନ କରିବାକୁ କହିଥିଲେ। ହେଲେ ମହାରାଷ୍ଟ୍ରରେ ଉପୁଜିଥିବା ପରିସ୍ଥିତିରେ ତାଙ୍କର ପ୍ରଶ୍ନ କରିବାର କିଛି ମାନେ ନାହିଁ ବୋଲି କହିଥିଲେ। ରାହୁଲଙ୍କ ଏହି ବୟାନ ପରେ କଂଗ୍ରେସ ସାଂସଦମାନେ ୱେଲକୁ ଚାଲି ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଣୁ ବାଚସ୍ପତି କଂଗ୍ରେସ ସାଂସଦମାନଙ୍କୁ ଗୃହରୁ ବାହାର କରିଦେବେ ବୋଲି ଧମକ ଦେଇଥିଲେ।

ବାଚସ୍ପତିଙ୍କ ଧମକ ସତ୍ତ୍ୱେ ସାଂସଦମାନେ ବିକ୍ଷୋଭରୁ ବିରତ ହୋଇନଥିଲେ। ଏଣୁ ବାଚସ୍ପତି ସେମାନଙ୍କୁ ଗୃହରୁ ବାହାର କରିଦେବାକୁ ମାର୍ସଲମାନଙ୍କୁ ନିର୍ଦ୍ଦେଶ ଦେବା ସହ ଗୃହର କାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯନ୍ତ ମୁଲତବି କରିଦେଇଥିଲେ। ଗୃହ ମୁଲତବି ହେବା ପରେ ବିଜେପି ମନ୍ତ୍ରୀ ରବିଶଙ୍କର ପ୍ରସାଦ, ପ୍ରହ୍ଲାଦ ଯୋଶୀ ଓ ରାଜନାଥ ସିଂହ ପ୍ରମୁଖ ବାଚସ୍ପତିଙ୍କୁ ଭେଟି କଂଗ୍ରେସ ସାଂସଦମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସେପଟେ କଂଗ୍ରେସ ସାଂସଦମାନେ ସଂସଦବଭନ ପରିସରସ୍ଥିତ ମହାତ୍ମା ଗାନ୍ଧି ମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିରେ କଂଗ୍ରେସର ମହିଳା ସାସଂଦ ଜ୍ୟୋତି ମଣି ଓ ରମ୍ୟା ହରିଦାସ ସେମାନଙ୍କ ସହ ଗୃହରେ ଧସ୍ତାଧସ୍ତି କରାଯାଇଥିବାର ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସେପଟେ କେରଳର ସାଂସଦ ହିବି ଏଡେନ୍ ଗୃହରେ ଘଟିଥିବା ଘଟଣାକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛନ୍ତି । ସେମାନଙ୍କ ଠାରୁ ସୁରକ୍ଷା କର୍ମୀମାନେ ବ୍ୟାନର ଛଡେଇନେବା ସହ ଗୃରେ ଧସ୍ତାଦସ୍ତି ଭଳି ପରିସ୍ଥିତି ଉପୁଜିଥିଲା। ଏଥିଲାଗି ସେ ବାଚସ୍ପତିଙ୍କୁ ଲିଖିତ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି।