ରମଜାନ ମାସରେ ନିର୍ବାଚନକୁ ନେଇ ବିବାଦ : ମୁସଲିମ୍ ନେତା କ୍ଷୁବ୍ଧ
11/03/2019 at 12:51 PM

କୋଲକାତା ୧୧/୩: ଉତ୍ତରପ୍ରଦେଶ,ବିହାର ଏବଂ ପଶ୍ଚିମବଙ୍ଗରେ ମତଦାନର ତାରିଖକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରମଜାନ୍ ମାସରେ ନିର୍ବାଚନ ଘୋଷଣାକୁ ନେଇ ମୁସଲିମ ନେତାମାନେ ବିରୋଧ କରିଛନ୍ତି। ରୋଜା ରଖୁଥିବା ମୁସଲିମ୍ ନେତାଙ୍କୁ ପ୍ରଚାରରେ ଯିବା ପାଇଁ ଅସୁବିଧା ହେବ। ସେହିଭଳି ମୁସଲିମ ଭୋଟର ମଧ୍ୟ ମତଦାନ କରିବାରେ ଅସୁବିଧା ସୃଷ୍ଟି ହେବ ବୋଲି ଏହି ନେତାମାନେ ଅଭିଯୋଗ କରିଛନ୍ତି ।
କୋଲକାତାର ମେୟର ଏବଂ ତୃଣମୂଳ କଂଗ୍ରେସର ନେତା ଫିରହାଦ ହାକିମ ଏବଂ ଇଦଗାହ ଇମାମ ମୈାଲାନା ଖାଲିଦ ରଶିଦ ଫରଙ୍ଗୀ ମହଲି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ଖୁସି ନାହାନ୍ତି। ତାଙ୍କ କହିବାନୁସାରେ ନିର୍ବାଚନ ସମୟରେ ମୁସଲିମଙ୍କ ରୋଜା ହେବ। ଏହି କଥାପ୍ରତି ନିର୍ବାଚନ ଆୟୋଗଙ୍କୁ ଧ୍ୟାନ ଦେବା ଉଚିତ୍ ଥିଲା।
ହାକିମ କହିଛନ୍ତି ‘‘ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଆମେ ଏହାର ସମ୍ମାନ କରିଥାଉ। ଆମେ ତାଙ୍କ ବିରୁଦ୍ଧରେ କିଛି କହିବାକୁ ଚାହୁଁନାହିଁ। କିନ୍ତୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ବିହାର,ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଲୋକଙ୍କପାଇଁ ସମସ୍ୟା ଉପୁଜିବ। ଯେଉଁମାନଙ୍କ ସେହି ସମୟରେ ରମଜାନ୍ ମାସ ଚାଲିଥିବ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ’’।
ଇଦଗାହ ଇମାମ ମୈାଲାନା ଖାଲିଦ ରଶିଦ ଫରଙ୍ଗୀ ମହଲି ଅସନ୍ତୁଷ୍ଟ ହୋଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କୁ ମୁସଲମାନଙ୍କ ଭାବନାକୁ ଧ୍ୟାନରେ ରଖି ଏବଂ ନିର୍ବାଚନ ତିଥି ରମଜାନ ମାସ ପୂର୍ବରୁ କିମ୍ବା ପରେ କରିବାକୁ ଦାବି କରିଛନ୍ତି। ରବିବାର ବିଳମ୍ବିତ ରାତ୍ରିରେ ଇଦଗାହ ଇମାମ ମୈାଲାନା ଖାଲିଦ ରଶିଦ ଫରଙ୍ଗୀ ମହଲି କହିଛନ୍ତି,‘‘ ମଇ ୫ତାରିଖ ମୁସଲମାନଙ୍କ ସବୁଠୁ ପବିତ୍ର ଦିନ । ରମଜାନର ଚାନ୍ଦ ଦେଖାଯିବ। ଯଦି ଚନ୍ଦ୍ର ଦେଖାଗଲେ ତେବେ ମଇ ୬ତାରିଖଠୁ ପ୍ରଥମ ରୋଜା ହେବ’’।
ରୋଜା ଚାଲିଥିବା ସମୟରେ ମଇ ୬,୧୨ ଏବଂ ୧୯ତାରିଖରେ ମତଦାନ ହେବାର ଘୋଷଣା କରାଯାଇଛି। ଏହା ଦ୍ବାରା ରୋଜା ରଖିଥିବା ନେତାଙ୍କ ପାଇଁ ସମସ୍ୟା ଉପୁଜିବ।