Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘୋଡାରେ ବସି, ବର ବେଶରେ ବରଯାତ୍ରୀ ଧରି ନାମାଙ୍କନ ପତ୍ର ଦାଖଲ କରିବାକୁ ପହଁଚିଲେ ଲୋକସଭା ପ୍ରାର୍ଥୀ : ରାସ୍ତାରେ ଅଟକାଇଲା ପୋଲିସ

9/04/2019 at 3:04 PM

ସାହାଜାହାନପୁର ୯/୪ : ଉତ୍ତର ପ୍ରଦେଶ ସାହାଜାହାନପୁରରେ ଜଣେ ଲୋକସଭା ପ୍ରାର୍ଥୀ ଗତକାଲି ମୁଣ୍ଡରେ ପଗଡି ପିନ୍ଧି, ଘୋଡାରେ ବସି ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ | ପ୍ରାର୍ଥୀ ବ୍ୟାଣ୍ଡ ବାଜା ଧରି ଯାଇଥିଲେ ନାମାଙ୍କନ ପତ୍ର ଦାଖଲ କରିବାକୁ | ସଂଯୁକ୍ତ ବିକାଶ ଦଳ ପ୍ରାର୍ଥୀ ବୈଦ୍ୟରାଜ କିଶନ ବର ବେଶରେ ଘୋଡାରେ ବସି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ | କିନ୍ତୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ପାରିନଥିଲେ | ରାସ୍ତାରେ ତାଙ୍କୁ ଅଟକାଇ ଦିଆଯାଇଥିଲା | ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ତାଙ୍କୁ ରାସ୍ତାରେ ଅଟକାଇ ଦେଇ ଘୋଡାରୁ ଓହ୍ଲାଇ ଦେଇଥିଲେ |


ଏହାପରେ ବିଚାର ପ୍ରାର୍ଥୀ ବର ବେଶରେ ଜିଲ୍ଲାପାଳଙ୍କ କାଯ୍ୟଳୟ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ଏବଂ ନାମାଙ୍କନ ପତ୍ର ଦାଖଲ କରିଥିଲେ | ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସେ ରାଜନୀତିର ଜ୍ୱାଇଁ ଏବଂ ଆଜି ତାଙ୍କର ବିବାହ ବାର୍ଷିକ ଉତ୍ସବ | ସେଥିପାଇଁ ସେ ବର ବେଶରେ ସଜେଇ ହୋଇ ନାମାଙ୍କନ ଦାଖଲ କରିବା ପାଇଁ ଆସିଛନ୍ତି |


କିଶନଙ୍କ ୨ ପୁଅ | ସେ କହିଛନ୍ତି ଯେ, ନିର୍ବାଚନରେ ନିଶ୍ଚୟ ବିଜୟୀ ହେବେ | ବିକାଶ ଏବଂ ରୋଜଗାରକୁ ତାଙ୍କର ମୁଦ୍ଦା ବୋଲି ସେ କହିଛନ୍ତି | କିଶନ ଗତ ବିଧାନସଭା ନିର୍ବାଚନ ବେଳେ କୋକେଇରେ ଶୋଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ | ତା’ପୂର୍ବରୁ ସେ ଶଗଡ଼ ଗାଡିରେ ବସି ନାମାଙ୍କନ ପତ୍ର ଦାଖଲ କରିବାକୁ ମଧ୍ୟ ଯାଇଥିଲେ | କିଶନ ପ୍ରତ୍ୟେକ ଥର ନୂଆ ନୂଆ ଅନ୍ଦାଜରେ ନାମାଙ୍କନ ଦାଖଲ କରିବାକୁ ଯାଇଥାନ୍ତି |


ବୈଦ୍ୟରାଜ କିଶନ ପେସାରେ ଜଣେ ଆୟୁର୍ବେଦିକ ଡାକ୍ତର | ତାଙ୍କୁ ଲାଇମ ଲାଇଟରେ ରହିବା ବହୁତ ପସନ୍ଦ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି | ତେବେ ବ୍ୟାଣ୍ଡ ବାଜା ଏବଂ ଘୋଡା ଖର୍ଚ୍ଚ ତାଙ୍କ ସମର୍ଥକ ଦେଇଛନ୍ତି ବୋଲି କିଶନ କହିଥିଲେ | କିଶନଙ୍କ ଅନ୍ଦାଜକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଲୋକେ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି |


ବୈଦ୍ୟରାଜ କିଶନ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ ଦେଇଛନ୍ତି | ସେ ଶପଥ ପତ୍ରରେ କହିଛନ୍ତି ଯେ, ତାଙ୍କ ପାଖରେ ଏକ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି | ସେ ମୋଟ ୧୮ ଥର ନିର୍ବାଚନ ଲଢ଼ିଛନ୍ତି | ସେ ସାହାଜାହାନପୁର ଲୋକସଭା ଆସନରୁ ୨ ଥର ନିର୍ବାଚନ ଲଢ଼ିଛନ୍ତି |

   Related Posts