ଏବେ ମହାରାଷ୍ଟ୍ରରେ ପଙ୍ଗପାଳ ଦଳଙ୍କ ତାଣ୍ଡବ, ନାଗପୁର ଓ ଅମରାବତୀରେ ଖାଇଗଲେ ଫସଲ

Published By : Prameya-News7 Bureau | May 31, 2020 IST

ନାଗପୁର ୩୧।୦୫: ଦ୍ରୁତ ବେଗରେ ପବନ ସହିତ ପାକିସ୍ତାନରୁ ଭାରତ ପହଞ୍ଚିଥିବା ପଙ୍ଗପାଳ ଦଳ ପଞ୍ଜାବ, ଗୁଜରାଟ, ରାଜସ୍ଥାନ,  ହରିୟାଣା ଓ ମଧ୍ୟ ପ୍ରଦେଶରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ କରିବା ପରେ ଏବେ ମହାରାଷ୍ଟ୍ରରେ ପ୍ରବେଶ କରିଛନ୍ତି।  ମଧ୍ୟ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳ ଦେଇ ପଙ୍ଗପାଳ ଦଳ ନାଗପୁରର କାଟୋଲ, ସାଓ୍ଵନେର, ଅମରାବତୀର ବରୁଡ, ମୋର୍ଶି ଓ ଚାନ୍ଦୁର ବଜାର ଅଞ୍ଚଳର ଖେତରେ ପଶି ଫସଲ ବର୍ବାଦ କରି ଦେଇଇଛନ୍ତି। ଦେଖିବାକୁ ଏହି ପଙ୍ଗପାଳ ଦଳ ଛୋଟ ଲାଗୁଥିଲେ ମଧ୍ୟ ହଜାର ଦଳ ଏବଂ କୋଟି କୋଟି ସଂଖ୍ୟାରେ ଗୋଷ୍ଠୀ ହୋଇ ଯେଉଁ ଅଞ୍ଚଳରେ ହମଲା କରନ୍ତି ସେଠାରେ ଫସଲ ବର୍ବାଦ କରି ଦିଅନ୍ତି। ଏଥିରେ ଉକ୍ତ ଅଞ୍ଚଳରେ ଖାଦ୍ୟଶସ୍ୟ ସମସ୍ୟା ଦେଖା ଯାଇଥାଏ। ପଙ୍ଗପାଳ ଦଳ ଯେଉଁଠି ବସନ୍ତି ସେଠାରେ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦିଅନ୍ତି। ଯେଉଁ ଗଛରେ ବସନ୍ତି, ତାର ସମସ୍ତ ପତ୍ର ବି ଖାଇ  ହଜମ କରି ଦିଅନ୍ତି।

ସଂପ୍ରତି ସେମାନଙ୍କୁ ଭଗାଇବା ପାଇଁ କୀଟନାଶକ ଔଷଧ ସହିତ ଥାଳି, କଂସା, ଢୋଲ ବଜାଇବା ବ୍ୟତୀତ ଅଗ୍ନିଶମ ବିଭାଗର ଗାଡି ଉପଯୋଗ କରିବା ବେଶ୍ ଫଳପ୍ରଦ ହୋଇଛି। ନାଗପୁରର କାଟୋଲ ଅଞ୍ଚଳର ଚାଷୀ କହିଛନ୍ତି, ସେମାନଙ୍କ ଲାଗି ଏହି ସଙ୍କଟ ସଂପୂର୍ଣ୍ଣ ନୂଆଁ। କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଫସଲ ଉପରେ ବସିବା ମାତ୍ରେ ଏହାକୁ ସଂପୂର୍ଣ୍ଣ ନଷ୍ଟ କରି ଦେଉଥିବା ଚାଷୀ କହିଛନ୍ତି।

ନାଗପୁରର କାଟୋଲର ମୁଖ୍ୟ ଫସଲ ହେଉଛି କମଳା। ଏଠାରେ ପଙ୍ଗପାଳ ହମଲା କରିଥିଲା, ହେଲେ ଚାଷୀ ଏବଂ ଜନପ୍ରତିନିଧିଙ୍କ ସତର୍କତା କାରଣରୁ ବଡ ଧରଣ କ୍ଷତି ଟଳି ଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସଲିଲ ଦେଶମୁଖ ତୁରନ୍ତ କୃଷି ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏହାର ସୂଚନା ଦେଇଥିଲେ। ଏହାର ସୂଚନା ମିଳିବା ମାତ୍ରେ  ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପଙ୍ଗପାଳଙ୍କଠୁ ଫସଲକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ କୃଷକଙ୍କ କ୍ଷତିର ଆକଳନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.