କରୋନା କଟକଣା, ଭଦ୍ରକ ଓ ଧାମନଗର ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍ ଡାଉନ୍
20/07/2020 at 7:42 AM

ଭଦ୍ରକ ୨୦।୦୭: ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳରେ ଲକ୍ ଡାଉନ୍ , ଜୁଲାଇ ୩୧ ଯାଏ ଜାରି ରହିବ କଟକଣା। କରୋନା ପାଇଁ ଭଦ୍ରକ ପୌରପାଳିକା , ନିକଟବର୍ତ୍ତୀ ପଞ୍ଚାୟତ ଓ ଧାମନଗର ଏନ ଏ ସି ରେ ଲକଡାଉନ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଲକଡାଉନ କଟକଣାରେ ସକାଳ ୫ରୁ ଦିନ ୧ ପର୍ଯ୍ୟନ୍ତ ଖୋଲା ରହିବ କେତେକ ନିର୍ଦ୍ଧିଷ୍ଟ ସେବା ଓ ଦୋକାନ ବଜାର । ଦିନ ୨ ପରେ ପରଦିନ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।
ଲକ୍ ଡାଉନ୍ ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଖୋଲା ରହିବ, ତେବେ ସେମାନଙ୍କ ଦୋକାନ ବା ଅନୁଷ୍ଠାନକୁ ୭ ଦିନ ପାଇଁ ସିଲ କରାଯିବା ସହ ଜରିମାନା ମଧ୍ୟ ଲଗାଯିବ। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପେଟ୍ରୋଲିଂ ଓ ଏନଫର୍ସମେଣ୍ଟକୁ ଜୋରଦାର କରାଯିବ । ଅମାନିଆଙ୍କ ପାଇଁ ଫାଇନ ଆଦାୟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଲକ୍ ଡାଉନ ସତ୍ତ୍ୱେ ବଳବତ୍ତର ରହିବ ସାପ୍ତାହିକ ସର୍ଟଡାଉନ । ସପ୍ତାହର ଶନିବାର ଓ ରବିବାର କଟକଣା ଜାରି ରହିବ । ଜୁଲାଇ ମାସ ୩୧ ପର୍ଯ୍ୟନ୍ତ ଏହି କଟକଣା ଲାଗୁରହିବ ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏହି ସମୟ ମଧ୍ୟରେ ସାନିଟାଇଜେସନ ସହ ଆଣ୍ଟିଜେନ ଟେଷ୍ଟକୁ ଜୋରଦାର କରାଯିବ ସହ ତ୍ୱରିତ ସର୍ଭିଲାନ୍ସ କରାଯିବ ବୋଲି ସୂଚନା ମିଳିଛି ।