ରୋଜଗାର ନାହିଁ ପାଣ୍ଠି କମୁଛି : ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନାରେ ଆର୍ଥିକ ସଙ୍କଟ

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର ୨୩।୦୫: ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଲାଗି ସବୁ ରୋଜଗାର ବାଟ ବନ୍ଦ । ସୈରାତ, ପାର୍କିଂ, ଯାତ୍ରୀ ଅନୁଦାନ ପାଣ୍ଠି ଶୂନ ହୋଇଯାଇଛି । ଘର ଭଡ଼ା କେହି ଦେଉନାହାନ୍ତି । ଠାକୁରଙ୍କ କେବଳ ନୀତିକାନ୍ତି ନିମନ୍ତେ ଦୈନିକ ୩ ହଜାରରୁ ଅଧିକ ଖର୍ଚ୍ଚ । ସେଥିରେ ଯାନିଯାତ୍ରା ବି ଅଛି । ଇତିମଧ୍ୟରେ ଲକ୍‌ଡାଉନ୍‌କୁ ୨ ମାସ ପୂରିଲାଣି । ଯାତ୍ରୀ ଆସୁନଥିବାରୁ ହୁଣ୍ଡି ଫାଙ୍କା ପଡ଼ିଛି । ଗଚ୍ଛିତ ପାଣ୍ଠିରେ ଯାହା ଅଛି ସେଥିରେ ଏବେ ଖର୍ଚ୍ଚ ଚଳୁଛି । ସେତକ ସରିଗଲେ ମନ୍ଦିର କେମିତି ଚାଲିବ ବୋଲି ଚିନ୍ତା ପ୍ରକଟ ହେଲାଣି ।

ଶ୍ରୀଲିଙ୍ଗରାଜ ମନ୍ଦିର ୬୦ ଦିନ ହେବ ବନ୍ଦ । ପାଳିଆ ସେବାୟତ କେବଳ ଠାକୁରଙ୍କ ଦୈନନ୍ଦିନ ନୀତି କରି ଫେରୁଛନ୍ତି । ମନ୍ଦିରରେ ରାଜଭୋଗ, ପାଉଣା ଆଦିକୁ ମିଶାଇଲେ ଦୈନିକ ୩୦୦୦ ଆବଶ୍ୟକ । ସମସ୍ତ ଯାନିଯାତ୍ରା ଖର୍ଚ୍ଚକୁ ନେଲେ ମନ୍ଦିର ପରିଚାଳନା ଲାଗି ବର୍ଷକୁ ପାଖାପାଖି କୋଟିଏ ଟଙ୍କା ଦରକାର । କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ମନ୍ଦିର ରୋଜଗାର କମିବାରେ ଲାଗିଛି । ଯାହା ଥିଲା ଲକ୍‌ଡାଉନ୍‌ ଘୋଷଣା ହେବା ପରେ ତହବିଲକୁ ଟଙ୍କାଟିଏ ବି ଆସୁନି ।

ଯାତ୍ରୀମାନଙ୍କ ଅନୁଦାନ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଖର୍ଚ୍ଚ ତୁଲାଇବାର ସବୁଠାରୁ ବଡ଼ ଭାଗ ବହନ କରିଥାଏ । ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ବାର୍ଷିକ ହାରାହାରି ୨୫-୩୦ ଲକ୍ଷ ଟଙ୍କା ଆୟ ଆସେ । ଏହାବାଦ୍‌ ଅନେକ ଶ୍ରଦ୍ଧାଳୁ ଦାନ ଅର୍ଥ ସିଧାସଳଖ ମନ୍ଦିର ଦପ୍ତରରେ ଦାଖଲ କରନ୍ତି । ସେହିଭଳି ଦାଣ୍ଡ ମାହାସୁଲ, ପାର୍କିଂ, ଘରଭଡ଼ା ଓ ଅନ୍ୟାନ୍ୟ ସୂତ୍ର ଆୟର ଅନ୍ୟତମ ଆଧାର ହୋଇଥାଏ । ଏହିଭଳି ଭାବେ ପାଖାପାଖି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଠାକୁରଙ୍କ ତହବିଲକୁ ଆସିଥାଏ । କିନ୍ତୁ ଚଳିତ ବର୍ଷ ଏଥିରେ ଘୋର ବ୍ୟତିକ୍ରମ ଦେଖା ଦେଇଛି ।

ଶ୍ରୀଜୀଉଙ୍କ ୫ ଏକର ବିଶିଷ୍ଟ ଜମିରେ ସରକାର ଏକ ବିଶାଳ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ହୋଇଛି । ବାକି ଜମିରେ ଗାଡ଼ିମୋଟର ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ ଦିଗରେ ଶ୍ରୀଜିଉଙ୍କ ଜମି ବ୍ୟବହାର ହୋଇଛି । ତେବେ କୋଟି କୋଟି ଟଙ୍କାର ଏହି ଜମିର ପ୍ରତିବଦଳରେ ଠାକୁରଙ୍କ ତହବିଲକୁ ଟଙ୍କାଟିଏ ବି ଆସୁନି । ମାର୍କେଟ୍‌ କମ୍ପେ୍ଲକ୍ସରେ ବିଏମ୍‌ସି ଦୋକାନ ଘର ଆବଣ୍ଟନ କରିଛି । ପାର୍କିଂ ସ୍ଥାନରେ ଗାଡ଼ିମୋଟରରୁ ପାର୍କିଂ ଫି’ ବିଏମ୍‌ସି ଆଦାୟ କରୁଛି । ଏହି ଆୟରୁ ଅଧା ଦେବା ଲାଗି ମନ୍ଦିର ପ୍ରଶାସନ ସହିତ ବିଏମ୍‌ସିର ଚୁକ୍ତି କରିଛି । କିନ୍ତୁ ଏଯାଏ ଟଙ୍କାଟିଏ ମନ୍ଦିର ତହବିଲକୁ ବିଏମ୍‌ସି ଦେଇନାହିଁ । ଲକ୍‌ଡାଉନରେ ଦୋକାନ ବଜାର ପ୍ରାୟ ବନ୍ଦ ଥିବାରୁ ମନ୍ଦିର ପ୍ରଶାସନ ମାହାସୁଲ ଆଦାୟ କରି ପାରୁନାହିଁ । ଏପଟେ ମନ୍ଦିର ପ୍ରଶାସନ ହାତରେ ଥିବା ଦୋକାନ ଘରୁ ବି ଭଡ଼ା ଆଦାୟ ହୋଇପାରୁନାହିଁ । ଲକ୍‌ଡାଉନ୍‌ରେ ଦୋକାନ ବଜାରରେ ବେପାର ସ୍ଥିତି ଭଲ ନଥିବାରୁ କୌଣସି ଦୋକାନୀ ଭଡ଼ା ଦେଇ ପାରୁନାହାନ୍ତି । ଫଳରେ ସବୁ ଦିଗରୁ ରୋଜଗାର ଶୂନ୍ୟ ହୋଇ ଯାଇଛି ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ।

ମନ୍ଦିର ପରିଚାଳନାରେ ବିଷମ ପରିସ୍ଥିତି ଲାଗି ରହିଥିବା ବେଳେ ଏପଟେ ଗରିବ ସେବାୟତଙ୍କ ଅବସ୍ଥା ବି ଶୋଚନୀୟ । ଯାତ୍ରୀ ନ ଥିବାରୁ ଦକ୍ଷିଣା ପାଉଣା କିଛି ପାଉ ନାହାନ୍ତି । ପାଳିଆ ସେବାୟତଗଣଙ୍କୁ ସହାୟତା ଯୋଗାଇ ଦେବା ଲାଗି ସେବାୟତ ନିଯୋଗ ମୁରବିମାନେ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । କିନ୍ତୁ ଏଯାଏ କୌଣସି ସେବାୟତଙ୍କ ପାଖରେ ସହାୟତା ପହଞ୍ଚି ନାହିଁ । ଏହାର କାରଣ ଶ୍ରୀଲିଙ୍ଗରାଜଙ୍କ ନାମରେ ଥିବା ଗଚ୍ଛିତ ଧନର ପରିମାଣ ସହାୟତା ରାଶି ଦେବା ଲାଗି ଯଥେଷ୍ଟ ନୁହେଁ ।

ଲକ୍‌ଡାଉନ କଟକଣା ଯୋଗୁ ଠାକୁରଙ୍କ ୨ଟି ବଡ଼ ପରମ୍ପରା ବନ୍ଦ ହୋଇଗଲା । ରୁକୁଣା ରଥ ଅଯଥାରେ ନିର୍ମାଣ ହୋଇ ସେଥିରେ ଗୁଡ଼ାଏ ଖର୍ଚ୍ଚ ହୋଇଗଲା । ଫଳରେ ଗଚ୍ଛିତ ରାଶି ଧୀରେ ଧୀରେ କମିବାରେ ଲାଗିଛି । ଅବଶ୍ୟ ଯାନିଯାତ୍ରା ନଥିବାରୁ ଖର୍ଚ୍ଚ ଗୁଡ଼ାଏ କମିଛି । ଆଗକୁ ଯାନିଯାତ୍ରା ଫିଟିଲେ ଠାକୁରଙ୍କ ଅର୍ଥ ସଂକଟ ଆହୁରି ଜଟିଳ ହେବା ଥୟ ହୋଇଛି। ଏ ସମ୍ପର୍କରେ ମନ୍ଦିର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ମତାମତ ନିଆଯାଇଥିଲା । ଶ୍ରୀଲିଙ୍ଗରାଜଙ୍କ ରୋଜଗାର ବାଟ ସବୁ ଦିଗରୁ ବନ୍ଦ ହୋଇଯାଇଥିବା ଘଟଣାକୁ ସେ ସ୍ୱୀକାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.