Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରିହାତି+ଲକ୍‌ଡାଉନ୍‌ : ହଟସ୍ପଟରେ କଡା, ଅଣସଂକ୍ରମିତ ଅଞ୍ଚଳରେ କୋହଳ

13/04/2020 at 8:42 AM

ନୂଆଦିଲ୍ଲୀ ୧୩।୦୪: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରିଥିବା ଅନୁରୋଧ ଆଧାରରେ କେନ୍ଦ୍ର ସରକାର ଦେଶରେ ଆଉ ଦୁଇ ସପ୍ତାହ ଅର୍ଥାତ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧି ବୃଦ୍ଧି କରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ତେବେ ଏଥିରେ କିଛିଟା କୋହଳ କରାଯିବାର ସୂଚନା ମିଳିଛି । କରୋନା ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ବଳ ଦେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ତେବେ କେଉଁସବୁ କଟକଣା କୋହଳ କରାଯିବ ଓ କିଭଳି କରାଯିବ ତାହା ଉପରେ ରଣନୀତି ପ୍ରସ୍ତୁତ କରାଯାଉଛି । ଦୁଇ ତିନିଦିନ ଭିତରେ ଚୂଡାନ୍ତ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁସାରେ କରୋନା ହଟ୍‌ସ୍ପଟ ଚିହ୍ନଟ ଅଞ୍ଚଳଗୁଡ଼ିକ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । କିନ୍ତୁ ଅନ୍ୟ ଅଞ୍ଚଳ ଯଥା କାଁ ଭାଁ ସଂକ୍ରମିତ ଚିହ୍ନଟ ଅଞ୍ଚଳ କିମ୍ବା ଆଦୌ ସଂକ୍ରମିତ ବ୍ୟକ୍ତି ନଥିବା ଅଞ୍ଚଳରେ କଟକଣା କୋହଳ କରାଯିବ । ଯେଉଁ ଅଞ୍ଚଳରେ ସଂକ୍ରମଣ ସଂଖ୍ୟା ଆଦୌ ନଥିବ କିମ୍ବା ଯଥେଷ୍ଟ କମ୍‌ ଥିବ ସେହିସବୁ ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ପୁଣିଥରେ ଖୋଲିବାକୁ ଅନୁମତି ମିଳିବ । ଶିଳ୍ପ ସହରଗୁଡ଼ିକରେ ଦୃଢ଼ ପ୍ରବେଶ ଓ ପ୍ରସ୍ଥାନ ଏବଂ ଶ୍ରମିକ ପରିବହନ ଉପରେ କଟକଣା ରହିବ । କେତେକ ମାର୍କେଟ ଦିନ ସମୟରେ ଖୋଲିବ ଓ ରାତିରେ ବନ୍ଦ ରହିବ । ଅନ୍ୟ କେତେକ ମାର୍କେଟ ଦିନେ ଛାଡି ଦିନେ ଖୋଲିବ । ବଡ଼ବଡ଼ ମଣ୍ଡିରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା ଲଗାଯିବ । ଯେଉଁ କାରଖାନାଗୁଡ଼ିକ ଶ୍ରମିକ ବା କର୍ମଚାରୀଙ୍କୁ ନିଜ କ୍ୟାମ୍ପସ ଭିତରେ ରଖିବାକୁ ପ୍ରତିଶ୍ରୁତି ଦେବେ ସେଭଳି କାରଖାନା ଚଳାଇବାକୁ ଅନୁମତି ମିଳିବ ।

ସେହିଭଳି କୃଷିକାର୍ଯ୍ୟ ଓ ଫସଲ ଉତ୍ପାଦନକୁ ଲକ୍‌ଡାଉନ କଟକଣାରୁ ମୁକ୍ତ ରଖାଯାଇଥିଲା ବେଳେ ରାଜ୍ୟ ସରକାରମାନେ ଚାଷୀଙ୍କ ଘର ନିକଟକୁ ଯାଇ ସେମାନଙ୍କ ଠାରୁ ସିଧାସଳଖ ଉତ୍ପାଦିତ ସାମଗ୍ରୀ କିଣିବାର ବ୍ୟବସ୍ଥା କରିବେ । ରାଜ୍ୟ ସରକାର ଚାହିଁଲେ ସୀମିତ କଟକଣା ଭିତରେ ପରିବହନ ସେବା ଚାଲୁ କରିପାରିବେ । ଜିଲ୍ଲା ଭିତରେ କିମ୍ବା ସହର ଭିତରେ ଯାନବାହନ ଚଳାଚଳକୁ ଅନୁମତି ଦେଇପାରିବେ । ଜୀବନଯାତ୍ରାକୁ ସ୍ୱାଭାବିକ କରିବା ଲାଗି କେତେକ ସହରକୁ ରେଡ୍‌ ଜୋନ, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନରେ ବିଭକ୍ତ କରିବା ସହ ତାହା ପାଇଁ ଆବଶ୍ୟକ ନୀତି ପ୍ରସ୍ତୁତ କରିବେ । ସର୍ବସାଧାରଣ ସ୍ଥାନରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା ରହିବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ ବିଶେଷ ଧ୍ୟାନ ଦିଆଯିବ । ଅନ୍ତଃରାଜ୍ୟ ବସ୍‌ ଚଳାଚଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଇ-ଟୋକେନ କିମ୍ବା ଆପଏଣ୍ଟମେଣ୍ଟ ଆଧାରରେ ସର୍ବସାଧାରଣ ସେବା ଚାଲୁ କରାଯାଇପାରିବ । ଯୋଗାଣ ବ୍ୟବସ୍ଥାରେ କିଛିଟା କୋହଳ କରାଯିବ ଏବଂ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକଳାପ ଭଳି କେତେକ କାର୍ଯ୍ୟ ଉପରେ କଟକଣା କୋହଳ ରହିବ।

ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ମାର୍ଚ୍ଚ ୨୫ରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିଲେ । ଆସନ୍ତା ୧୪ରେ ଏହାର ଅବଧି ଶେଷ ହେବାକୁ ଯାଉଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଲକ୍‌ଡାଉନ ଅବଧି ଘୋଷଣା କରି ନଥିବା ବେଳେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜଆଡୁ ଲକ୍‌ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିସାରିଛନ୍ତି । ଏସବୁ ରାଜ୍ୟ ମଧ୍ୟରେ ଅଛନ୍ତି ଓଡ଼ିଶା, ପଞ୍ଜାବ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ପୁଡୁଚେରୀ, ଗୁଜରାଟ ଓ ମହାରାଷ୍ଟ୍ର । କରୋନା ସଂକ୍ରମଣ ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏସବୁ ରାଜ୍ୟ ନିଜଆଡୁ ଲକ୍‌ଡାଉନ ଅବଧି ବଢ଼ାଇ ସାରିଛନ୍ତି । ଅନ୍ୟ ସବୁ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ।

ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ ଅବଧି ବଢ଼ାଇବାକୁ ଅନୁରୋଧ କରିଥିଲେ । ତେଣୁ ସରକାର ତାହା ଉପରେ ବିଚାର କରୁଛନ୍ତି । ଦୁଇ ତିନି ଦିନ ଭିତରେ ତାହା ଘୋଷଣା କରାଯିବାର ସମ୍ଭାବନା ରହିଛି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କି ଲକ୍‌ଡାଉନ ଘୋଷଣା କରିବା ଅବସରରେ ସେ କହିଥିଲେ ସରକାରଙ୍କ ଲକ୍ଷ୍ୟ ହେଉଛି ଜାନ୍‌ ହୈ ତୋ ଜାହାନ୍‌ ହୈ (ଜୀବନ ରହିଲେ ପୃଥିବୀ ରହିବ) ।

ଅଧିକାଂଶ ଦେଶବାସୀ ତାକୁ ବୁଝିଲେ ଓ ଘରେ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କଲେ । କିନ୍ତୁ ବର୍ତ୍ତମାନ ଦେଶର ଉଜ୍ୱଳ ଭବିଷ୍ୟତ ତଥା ସୁସ୍ଥ ଓ ସମୃଦ୍ଧ ଭାରତ ପାଇଁ ଉଭୟ ଜାନ୍‌ ଭି, ଜାହାନ୍‌ ଭି (ଜୀବନ ସହ ପୃଥିବୀ ରହିବ) ଉପରେ ଫୋକସ୍‌ କରିବା ଅତି ଆବଶ୍ୟକ ହୋଇପଡିଛି । ଯଦି ଦେଶର ପ୍ରତ୍ୟେକ ନାଗରିକ ଏହି ଦୁଇଟି ଦିଗକୁ ମନରେ ରଖି କାର୍ଯ୍ୟ କରିବେ ଓ ସରକାରଙ୍କ ସମସ୍ତ ନୀତି ନିୟମକୁ ପାଳନ କରିବେ ତେବେ ଆମର କରୋନା ବିରୋଧୀ ଲଢ଼େଇ ଆହୁରି ଅଧିକ ସୁଦୃଢ଼ ହୋଇପାରିବ ।

   Related Posts