ଲକ୍ ଡାଉନ୍ ହୋଇନଥିଲେ ପରିସ୍ଥିତି ଭୟାବହ ହୋଇଥାନ୍ତା, ଦେଶରେ ୮.୨ ଲକ୍ଷରେ ପହଞ୍ଚିଥାନ୍ତା କରୋନା ସଂକ୍ରମିତଙ୍କ ସଂଖ୍ୟା
12/04/2020 at 10:49 AM

ନୂଆଦିଲ୍ଲୀ ୧୨।୪: କରୋନା ଭାଇରସ୍ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଏବଂ ସଙ୍କଟ ହୋଇଛି । ଭାରତ ସମେତ ଅନେକ ଦେଶ କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ମହାମାରୀ ସହିତ ମୁକାବିଲା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଲକ୍ ଡାଉନ୍, କଣ୍ଟେନମେଣ୍ଟ ଏବଂ ସାମାଜିକ ଦୂରତା । ଏସବୁ ସତ୍ତ୍ବେ ଭାରତ ସମେତ ସମଗ୍ର ବିଶ୍ବରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଭାରତରେ ଏପର୍ଯ୍ୟନ୍ତ ଦେଶରେ କରୋନୋ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୮୩୫୬କୁ ବୃଦ୍ଧି ପାଇଛି ।ଯେଉଁଥିରେ ୭୩୬୭ ସକ୍ରିୟ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ ୨୭୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ୭୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଯଦି ମାର୍ଚ୍ଚ ୨୪ରେ ମୋଦି ସରକାର ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରିନଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥାନ୍ତା ।

ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ, ଯଦି ଦେଶବ୍ୟାପୀ ଲକ୍ ଡାଉନ୍ ନଥାନ୍ତା, ତେବେ କରୋନା ଭାଇରସ୍ ସଂକ୍ରମିତ ରୋଗୀ ସଂଖ୍ୟା ୪୧% ବୃଦ୍ଧି ପାଇଥାନ୍ତା ଏବଂ ଅପ୍ରେଲ ୧୫ ସୁଦ୍ଧା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮.୨୦ ଲକ୍ଷରେ ପହଞ୍ଚିଥାନ୍ତା ।

ଯଦି କେବଳ କଣ୍ଟେଟମେଣ୍ଟ କରାଯାଇଥାନ୍ତା, ଅପ୍ରେଲ ୧୫ ସୁଦ୍ଧା କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୨୦ ହଜାରରେ ପହଞ୍ଚିଥାନ୍ତା । ଶନିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି ଯେ, ଗତକାଲି ଦେଶରେ କରୋନା ଭାଇରସ୍ ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୩୫ କରୋନା ସଂକ୍ରମିତ ହୋଇଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, କରୋନା ଭାଇରସ୍ ମୁକାବିଲା ପାଇଁ ଭାରତ ଶୀଘ୍ର ପ୍ରସ୍ତୁତି ଚଳାଇଛି । ଦେଶରେ ୫୮୬ COVID-19 ଡାକ୍ତରଖାନା ଏବଂ ଏକ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍ ଏବଂ ୧୧ ହଜାର ୫୦୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏକ ଲକ୍ଷ ୭୧ ହଜାର ୭୧୮ ଲୋକଙ୍କ କରୋନା ଯାଞ୍ଚ କରାଯାଇଛି। ଶୁକ୍ରବାର ଦିନ ୧୬ ହଜାର ୫୬୪ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା ।

ଏହାସହ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ଶନିବାର ଦିନ ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।