ଲକ୍ଡାଉନ୍ରେ ଫସିଲେ : ବାହାଘର ପରେ ବି ୯ଦିନ ହେଲା କନ୍ୟା ଘରେ ଅଟକିଛନ୍ତି ୭୫ବରଯାତ୍ରୀ
1/04/2020 at 12:56 PM

ନୂଆଦିଲ୍ଲୀ ୦୧।୦୪: ଭାରତରେ ୨୧ ଦିନ ବ୍ୟାପୀ ଘୋଷଣା ହୋଇଥିବା ଲକ୍ଡାଉନ କାରଣରୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି କ୍ରମରେ ଝାଡଖଣ୍ଡର ରାମଗଡ ଅଞ୍ଚଳରେ କନ୍ୟା ଘରେ ବର ସମେତ ସମସ୍ତ ବରଯାତ୍ରୀ ୯ ଦିନ ହେଲା ଅଟକି ରହିଥିବା ଜଣାପଡିଛି । ଫଳରେ କନ୍ୟାପକ୍ଷ ଲୋକ ଏତେଦିନ ଧରି ଅତିଥି ଚର୍ଚ୍ଚା କରିବାକୁ ବାଧ୍ୟ ହୋଇଛନ୍ତି ।
ସୂଚନା ମୁତାବକ, ମାର୍ଚ୍ଚ ୨୨ ତାରିଖରେ ଏଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେବାର ଥିଲା । ଏଥିନିମନ୍ତେ ବିବାହର ପୂର୍ବଦିନରୁ ବର ଘର ଲୋକେ ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିଥିଲେ । କିନ୍ତୁ ଉକ୍ତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଘୋଷଣା କରିଥିବା କାରଣରୁ ବିବାହ ସ୍ଥଗିତ ହୋଇ ତା’ ପର ଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨୪ରେ କନ୍ୟା ବିଦା ହେବାର ଥିଲା । କିନ୍ତୁ ଉକ୍ତ ତାରିଖରେ ଲକ୍ ଡାଉନ ଘୋଷଣା ହେଲା । ଫଳରେ ବର ସମେତ ସମସ୍ତ ୭୫ ଜଣ ବରଯାତ୍ରୀ କନ୍ୟା ଘରେ ଅଟକି ଯାଇଥିଲେ ।
ବରଯାତ୍ରୀଙ୍କ ମଧ୍ୟରେ ମହିଳା, ପୁରୁଷ ଏବଂ ଶିଶୁ ସମେତ ସମସ୍ତ ବର୍ଗର ଲୋକେ ସାମିଲ ଅଛନ୍ତି । ଏକ ତମ୍ବୁ ମଧ୍ୟରେ ସମସ୍ତଙ୍କୁ ରଖାଯାଇଛି । ସେବେଠାରୁ ୯ ଦିନ ହେଲାଣି କନ୍ୟା ଘର ଲୋକ ସେମାନଙ୍କ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନର ଆୟୋଜନ କରୁଛନ୍ତି । ବରଯାତ୍ରୀମାନଙ୍କୁ ନିଜ ଘରେ ପହଞ୍ଚିବା ନିମନ୍ତେ ଅନୁମତି ଦେବାକୁ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ଲୋଡାଯାଇଛି ।