ଭୋକ, ଭେକ ଓ ଭବିଷ୍ୟତ ଚିନ୍ତାରେ ଘାରିହେଉଛନ୍ତି ମାଳିସାହି ଲଳନା
26/04/2020 at 10:13 AM

ଭୁବନେଶ୍ୱର ୨୬।୦୪: କରୋନା ପ୍ରତିଷେଧକ ପାଇଁ ସାରା ଦେଶରେ ଲକ୍ଡାଉନ୍ । ଏଥିରେ ଧନୀଠୁ ଗରିବ ସଭିଙ୍କ ଅଣ୍ଟା ଭାଙ୍ଗି ଯାଇଛି । ତେବେ ଏହା ଭିତରେ ମାଳିସାହିରେ ରହୁଥିବା ଦେହଜୀବୀ (ଲଳନା)ଙ୍କ ଦୁର୍ଦ୍ଦଶା ବଳି ଯାଇଛି । ଲକ୍ଡାଉନ୍ ହେବା ଠାରୁ ଧନ୍ଧା ବନ୍ଦ । ସେଥିପାଇଁ ସେମାନଙ୍କ ପେଟକୁ ଦାନା ମିଳୁ ନାହିଁ । ରାସନକାର୍ଡ ଥିବା କିଛିଙ୍କୁ ସହଯୋଗ ମିଳିଛି । ହେଲେ ଅନ୍ୟ ମାନେ ଦୀର୍ଘ ୩୦ ଦିନ ହେବ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ସରକାରୀ ସହଯୋଗ ଏମାନଙ୍କ ନିକଟରେ ଅପହଞ୍ଚ । ପ୍ରାୟ ୩୦୦ ଦେହଜୀବୀ ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ସେହିପରି ମୁମ୍ବାଇ ଓ କୋଲକାତାର ରେଡଲାଇର୍ଟରେ ବସବାସ କରୁଥିବା ଦେହଜୀବୀମାନେ ସରକାରଙ୍କ ସହଯୋଗ ମାଗିଥିଲେ । ଲକ୍ଡାଉନ୍ ଯୋଗୁଁ ସେମାନଙ୍କ ଜୀବୀକା ଅନ୍ଧକାରମୟ ହୋଇଯାଇଥିଲା । ତେଣୁ ସେମାନେ ବାଧ୍ୟ ହୋଇ ସରକାରଙ୍କ ସହଯୋଗ ମାଗିଥିଲେ ।
ଲକ୍ଡାଉନ୍ ପରିସ୍ଥିତିରେ ସେମାନେ କେମିତି ଅଛନ୍ତି ଜାଣିବାକୁ ସେମାନଙ୍କୁ ଭେଟିଥିଲା ‘ପ୍ରମେୟ’ ଟିମ୍ । ଆମ ପାଖରେ ସେମାନେ ତାଙ୍କ ଦୁଃଖ ଓ ମନର କ୍ଷୋଭ ଜଣାଇଥିଲେ । ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ ଟାରେ ଆମ ଟିମ୍ ପହଞ୍ଚିଥିଲା ମାଳି ସାହିରେ । ସବୁବେଳେ ଗହଳି ଚହଳି ଲାଗି ରହୁଥିବା ମାଳିସାହିର ଗଳି ଖାଁ ଖାଁ ଲାଗୁଥିଲା । ଘର ଭିତରେ କିଛି ଦେହଜୀବୀ ବସିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ । ସେମାନଙ୍କ ସମସ୍ୟା ବିଷୟରେ ଆମେ ପଚାରିଥିଲୁ। ସେମାନେ କହିଥିଲେ ଲକ୍ଡାଉନ୍ ପୂର୍ବରୁ ଭଲ ବେପାର ହେଉଥିଲା । ଯାହା ରୋଜଗାର ହେଉଥିଲା ସେଥିରେ ଚଳି ଯାଉଥିଲୁ ।
କିଛି ଟଙ୍କା ସଞ୍ଚୟ କରି ରଖୁଥିଲୁ । ମାସେରୁ ଅଧକ ଦିନ ହେବ ଲକ୍ଡାଉନ୍ ହେଲାଣି । ଯାହା ସବୁ ଥିଲା ସରିଗଲାଣି । ଏବେ କ’ଣ କରିବୁ ବୋଲି ଚିନ୍ତାରେ ପଡିଛୁ । ହାତ ଗଣତି ଦେହଜୀବୀଙ୍କର ରାସନକାର୍ଡ ରହିଛି। ସେମାନଙ୍କୁ ସରକାରୀ ସହାୟତା ମିଳୁଛି । ଆମେ କଥା ବୁଝିବାକୁ କେହି ନାହାନ୍ତି । ଜଣେ ମହିଳା କହିଥିଲେ, ଆମ ସାହିରେ ୪ ଶହରୁ ଅଧିକ ଜଣ ବେଶ୍ୟାବୃତ୍ତି କରି ପେଟ ପୋଷୁଛନ୍ତି । ୨୫୦ରୁ ଅଧିକ ବଙ୍ଗୀୟ ଯୁବତୀ । ଘର ଦ୍ୱାର ଛାଡ଼ି ଏଠାରେ ରହି ବେପାର କରୁଛନ୍ତି । ରୋଜଗାର କରୁଥିଲେ ଖର୍ଚ୍ଚ କରି ଦେଉଥିଲେ । ଏବେ ଖାଇବା ପାଇଁ ପାଖରେ ଟଙ୍କା ଟିଏ ବି ନାହିଁ । ଆମ କମିଟି ଯାହା ଦେଉଛି ସେଥିରେ ସେମାନେ ଚଳୁଛନ୍ତି । ତେବେ ୮୦ରୁ ଅଧିକ ମହିଳା ଏଠାରେ ତାଙ୍କର ପରିବାର ସହ ରହୁଛନ୍ତି । ସେମାନଙ୍କର ରାସନକାର୍ଡ ରହିଛି । ସେମାନଙ୍କୁ ସରକାରୀ ସହଯୋଗ ମିଳୁଛି। କିଛି ଲକ୍ଡାଉନ୍ ପୂର୍ବରୁ ନିଜ ନିଜ ଘରକୁ ଚାଲି ଯାଇଛନ୍ତି ।
ବଙ୍ଗୀୟ ଦେହଜୀବୀ ୨୬ ବର୍ଷୀୟ ରୂପଶ୍ରୀ ଆମ ଟିମ୍କୁ କହିଥିଲେ, ଇଚ୍ଛା ନଥିଲେ ବି ପରିବାର ଚଳାଇବା ପାଇଁ ବେଶ୍ୟାବୃତ୍ତିକୁ ସେ ଆପଣାଇଛନ୍ତି । ଆଗରୁ ଦିନକୁ ୨ରୁ ୩,୦୦୦ ଟଙ୍କା ରୋଜଗାର କରୁଥିଲେ । ଉକ୍ତ ଟଙ୍କା ମେଦିନାପୁରରେ ରହୁଥିବା ପରିବାର ଲୋକଙ୍କୁ ପଠାଉଥିଲେ । ଏବେ ତାଙ୍କ ପରିବାର ଚଳିବା କଷ୍ଟ ହେଲାଣି । କେବଳ ରୂପଶ୍ରୀ ନୁହନ୍ତି ତାଙ୍କ ଭଳି ଅନେକ ଦେହଜୀବୀଙ୍କର ଏହି ଅବସ୍ଥା । କେବେ ଲକ୍ଡାଉନ୍ ସରିବ ତାକୁ ଅପେକ୍ଷା କରିଛନ୍ତି । ସେପଟେ ଦେହଜୀବୀ କମିଟି ଯୋଜନା କରିଛି ଲକ୍ଡାଉନ୍ ସରିବା ପରେ ମଧ୍ୟ ସେମାନେ ଏହି କାର୍ଯ୍ୟବନ୍ଦ ରଖିବେ । କାରଣ ଦେହବୀଜୀଙ୍କ ପାଖକୁ ଯେଉଁ ଗ୍ରାହକ ଆସିବେ ସେମାନଙ୍କ ମଧ୍ୟରୁ ଯଦି କାହା ଦେହରେ କରୋନା ପଜେଟିଭ ଥିବ ତାହେଲେ କଥା ସରିଲା । ଲକ୍ଡାଉନ୍ ଖୋଲିବା ପରେ ଦେହଜୀବୀମାନେ ବେପାର କରିବେ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ ।
ସେପଟେ ମାଳିସାହି ଦେହଜୀବୀ କମିଟିର ସଭାପତି ନାଗମଣୀଙ୍କୁ ଆମେ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି ରାସନକାର୍ଡ ଥିବା ଦେହଜୀବୀଙ୍କୁ ଚାଉଳ ଓ ଡାଲି ମିଳିଛି । ତେବେ ଅନ୍ୟରାଜ୍ୟରୁ ଆସିଥିବା ଯୁବତୀ ଓ ମହିଳାଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ମାସ୍କ୍ ଓ ସାନିଟାଇଜର ଆମକୁ ଦିଆଯାଇ ନାହିଁ । ଏଠାରେ ଯେଉଁମାନେ ଦେହ ବେପାର କରୁଛନ୍ତି ସେମାନଙ୍କୁ ଠାରୁ ମାସିକ ୨୦ ଟଙ୍କା ଲେଖାଁଏ ରଖାଯାଏ । ଉକ୍ତ ଟଙ୍କା କମିଟି ଫଣ୍ଡରେ ରୁହେ । ଏବେ ଦେହଜୀବୀ କମିଟି ଫଣ୍ଡରେ ୭ରୁ ୮ ଲକ୍ଷ ଟଙ୍କା ରହିଛି । ଉକ୍ତ ଟଙ୍କାରେ ଆମେ ସେମାନଙ୍କୁ ସହଯୋଗ କରୁଛୁ । ତା’ଛଡା ଯଦି କାହା ଦେହ ଖରାପ ହେବ କି ଅନ୍ୟ କୌଣସି କାମ ପାଇଁ ସେମାନଙ୍କ ଟଙ୍କା ଦରକାର ହେଲେ ସେମାନେ କମିଟି ଫଣ୍ଡରୁ ଟଙ୍କା ନେଇପାରିବେ । ପରେ ଧୀରେଧୀରେ ସୁଝିବେ । ଲକ୍ଡାଉନ୍ ସମୟରେ ବେପାର ପୂରା ବନ୍ଦ । ଆମେ ପିଲାମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ତେଣୁ ସେମାନଙ୍କୁ ସରକାରୀ ମିଳିବା ନିହାତି ଆବଶ୍ୟକ ବୋଲି ନାଗମଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।