ଲକଡାଉନ ଯୋଗୁଁ ନାହାନ୍ତି ଗ୍ରାହକ, ସରକାରଙ୍କ ମାଗଣା ରାସନକୁ ଅପେକ୍ଷା କରିଛନ୍ତି ଦେହଜୀବୀ
31/03/2020 at 4:00 PM

ନୂଆଦିଲ୍ଲୀ ୩୧/୦୩ : କରୋନା କାରଣରୁ ଦିଲ୍ଲୀର ହଜାର ହଜାର ଦେହଜୀବୀ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଜିବି ରୋଡରେ ରହୁଥିବା ଦେହଜୀବୀ କହିଛନ୍ତି ଯେ, ତାଙ୍କ ପାଖକୁ କୌଣସି ଏନଜିଓ ପହଞ୍ଚି ନାହାନ୍ତି କି ସରକାରଙ୍କ ମାଗଣା ରାସନ ଯୋଜନା ମଧ୍ୟ ପହଞ୍ଚି ନାହିଁ | ସମସ୍ତଙ୍କ ତାଲିକାରେ ଆମେ ଶେଷରେ ଆସିଥାଉ | ସେ କହିଛନ୍ତି ଯେତେବେଳେ ନେତାମାନେ ନିର୍ବାଚନରେ ଭୋଟ୍ ମାଗିବାକୁ ଆସୁନାହାନ୍ତି ତ ଏଭଳି ପରିସ୍ଥିତିରେ କଣ ଆସିବେ |
ରାଜସ୍ଥାନରୁ ଆସିଥିବା ଜଣେ ଦେହଜୀବୀ କହିଛନ୍ତି ଯେ, ମୋଦୀ ଜୀଙ୍କର ସର୍ବସାଧାରଣ କର୍ଫ୍ୟୁ ପୂର୍ବରୁ ଅନେକ ଦେହଜୀବୀ ନିଜ ଗାଁକୁ ଚାଲି ଯାଇଥିଲେ। କରୋନା ଯୋଗୁଁ ତାଙ୍କ କାମ ମଧ୍ୟ ବନ୍ଦ ହୋଇଯାଇଛି | ଦେଶବ୍ୟାପୀ ଲକଡାଉନ୍ ପରଠାରୁ ତାଙ୍କ ପାଖରେ କୌଣସି କାମ ନାହିଁ | ନିଜର ସୁରକ୍ଷା ଦୃଷ୍ଟିରୁ ସେମାନେ ମଧ୍ୟ କାହାକୁ ଆସିବାକୁ ଦେଉନାହାନ୍ତି ବୋଲି ସେ କହିଛନ୍ତି | କାରଣ ତାଙ୍କର ଛୋଟ ଛୋଟ ପିଲା ଅଛନ୍ତି | ସେଥିପାଇଁ ସେମାନେ ବହୁତ ଚିନ୍ତିତ |ଆଉ ଜଣେ ୨୫ ବର୍ଷ ବୟସ୍କା ଦେହଜୀବୀ କହିଛନ୍ତି ତାଙ୍କ ପାଖରେ ତ ରାସନ କାର୍ଡ ହିଁ ନାହିଁ ତ ଫ୍ରି ରାସନ କୋଉଠୁ ମିଳିବ | ବର୍ତ୍ତମାନ ଦିଲ୍ଲୀ ସରକାର ପ୍ରତି ବ୍ୟକ୍ତିଙ୍କୁ ୬ କିଲୋଗ୍ରାମ ଗହମ ଏବଂ ଦେଢ଼ କିଲୋଗ୍ରାମ ଚାଉଳ ଯୋଗାଉଛନ୍ତି। କିନ୍ତୁ ଦେହଜୀବୀ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି | ତେବେ କେବେ କେମିତି ଜଣେ ଜଣେ ପୋଲିସ କର୍ମୀ ତାଙ୍କୁ ଖାଇବା ଦେଇଥାନ୍ତି ବୋଲି ସେ କହିଛନ୍ତି |
ଜିବି ରୋଡରେ ରହୁଥିବା ଅନେକ ଦେହଜୀବୀ ଲକଡାଉନ ଖବର ଶୁଣି ନିଜ ନିଜ ଘରକୁ ଚାଲି ଯାଇଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶର ଜଣେ ଷାଠିଏ ବର୍ଷ ବୟସ୍କା ଦେହଜୀବୀ ଘରକୁ ଯାଇପାରି ନାହାନ୍ତି । ସେ କହିଛନ୍ତି ଯେ, ତାଙ୍କ ଘରକୁ ଯିବା ପାଇଁ ୪ ରୁ ୫ ଦିନ ସମୟ ଲାଗିଥାଏ | ଏଭଳି ସ୍ଥିତିରେ ସେ କିଭଳି ଯାଇଥାନ୍ତେ | ସେଥିପାଇଁ ସେ ଯାଇପାରିନଥିଲେ | କିନ୍ତୁ ସମୟରେ ଔଷଧ ମିଳିଗଲେ ସୁବିଧା ହେବ ବୋଲି ସେ କହିଛନ୍ତି |
କାହାକୁ ରାସନ ଚିନ୍ତା ତ କାହାକୁ ଔଷଧ ଚିନ୍ତା | ପୁଣି କିଏ ଭାବୁଛି ସେ କରୋନାରେ ପୀଡିତ ହୋଇଯିବ ନାହିଁ ତ ! ଆଉ ଜଣେ ଯୁବା ଦେହଜୀବୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପରୀକ୍ଷା ହୋଇନାହିଁ | ତେବେ ତାଙ୍କ ପାଖକୁ ଆସୁଥିବା ଲୋକମାନଙ୍କ ମଧ୍ୟରୁ କିଏ ବିଦେଶରୁ ଆସିଛି ନା ଆଉ କେଉଁଠୁ ଆସିଛି ତାହା ସେମାନେ କେମିତି ଜାଣିବେ ବୋଲି କହିଛନ୍ତି | ଚିନ୍ତିତ ହୋଇ ସେ କହିଛନ୍ତି କାମ ସିନା ଗୋଟିଏ ସପ୍ତାହ ହେଲା ବନ୍ଦ ରହିଛି କିନ୍ତୁ ଭାଇରସର ମାସେ ହେଲାଣି ବ୍ୟାପିବାରେ ଲାଗିଛି | ଏପଟେ ସରକାର ମଧ୍ୟ ସେମାନଙ୍କ ପାଇଁ କୌଣସି ଚିକିତ୍ସା ସୁବିଧା ଯୋଗୁଁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି |
ଏହି ଦେହଜୀବୀମାନେ ନିଜ ପିଲାଙ୍କୁ ମାସ୍କ ପିନ୍ଧାଇ ନିଜେ ଓଢଣୀରେ ମୁହଁ ବାନ୍ଧି ଛୋଟ କୋଠରୀରେ ରହୁଛନ୍ତି | ଛୋଟ ଆଲମିରାରେ ବସି ଅଖା ଗୁଡ଼ାଇ ବସିଛନ୍ତି | ସେଠାରେ ରହୁଥିବା ଜଣେ ଦେହଜୀବୀଙ୍କ ପୁଅ କହିଛନ୍ତି ଯେ, ସେଠାରେ ୪ ହଜାରରୁ ଅଧିକ ଦିଦି ଅଛନ୍ତି ଏବଂ ପାକହାପଖି ୭୦ ବେଶ୍ୟାଳୟ ରହିଛି | ଅଧିକାଂଶ ମହିଳାଙ୍କୁ ଚାଲାଣ ଜରିଆରେ ଅଣାଯାଇଛି | ସେମାନଙ୍କ ମଧ୍ୟରୁ ଅନେକ ମହିଳାଙ୍କ ପାଇଁ ଗାଁର ରାସ୍ତା ବନ୍ଦ ହୋଇଯାଇଛି | ସେମାନେ ଚାହିଁଲେ ମଧ୍ୟ ନିଜ ଗାଁକୁ ଯାଇପାରିବେ ନାହିଁ | ଏକ ଏନଜିଓ ସାହାଯ୍ୟରେ ସେ ଆଖପାଖ ମହିଳାମାନଙ୍କୁ ରାସନ ଯୋଗାଉଛନ୍ତି ବୋଲି କହିଛନ୍ତି | ତେବେ ଯେତିକି ଦିନ ସମ୍ଭବ ସାହାଯ୍ୟ କରିବେ ନଚେତ ସବୁ ଭଗବାନଙ୍କ ଭରସା ବୋଲି ସେ କହିଥିଲେ |