ମେ'ରେ ଓଡିଶାକୁ ଫେରିବ ଲକଡାଉନ୍ ! ସଂକ୍ରମଣ ବଢୁଥିବା ଜିଲ୍ଲାରେ ଲାଗୁ ହୋଇପାରେ ତାଲାବନ୍ଦ

Published By : Prameya-News7 Bureau | April 30, 2021 IST

ଭୁବନେଶ୍ୱର ୩୦/୦୪: ଫେରିପାରେ ଲକ୍‌ଡାଉନ । ସଂକ୍ରମଣ ବଢୁଥିବାରୁ ଅଧିକ ରୋଗୀ ବାହାରୁଥିବା ଜିଲ୍ଲାକୁ ଲକ୍‌ କରିପାରନ୍ତି ସରକାର । ସରକାର ଯେତେ ବୁଝାଇବା ପରେ ମଧ୍ୟ ଲୋକେ ମାନୁ ନାହାନ୍ତି । ସାମାଜିକ ଦୂରତା ତ ଦୂରର କଥା ମାସ୍କ ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ତେଣୁ ସପ୍ତାହନ୍ତ ସଟ୍‌ଡାଉନ ନୁହେଁ, ଲକ୍‌ଡାଉନ୍‌ କରିବାକୁ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ସବୁ ଠିକ୍‌ଠାକ୍‌ ରହିଲେ, ମେ’ ପହିଲାରୁ ହିଁ ଲକଡାଉନ୍‌ ଲାଗିପାରେ । ଭୁବନେଶ୍ୱର, କଟକ, ସୁନ୍ଦରଗଡ଼ ଭଳି ଅଧିକ ସଂକ୍ରମିତ ଜିଲ୍ଲାରେ ଲାଗିପାରେ କଟକଣା । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏ କଥା କହିବା ପରେ ଏ ଆଶଙ୍କା ଆହୁରି ବଢିଛି ।

ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ବୁଧବାର ୮ ହଜାର ଟପିଥିବା ବେଳେ ଆଜି ପଜିଟିଭ୍‌ ସଂଖ୍ୟା ପୁଣି ୬ ହଜାରକୁ ଖସିଛି । ସଂକ୍ରମଣ କେବେ ବଢୁଛି ତ ଆଉ କେବେ କମୁଛି । ସଂକ୍ରମଣ ସମାନ ସ୍ଥିତିରେ ରହୁଛି ବୋଲି ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି । ତେବେ ଆଗକୁ ସଂଖ୍ୟା ଆଉ ବଢିବନି ବୋଲି କହିହେବନି । କିଛିଦେଶରେ ସଂଖ୍ୟା ବଢିଛି । ଆଉ କିଛିରେ କମିଛି । ତେଣୁ ଆମେ ସକରାତ୍ମକ ଭାବେ ନେବା । ଆଶା କରିବା କରୋନା କମିବ ବୋଲି ।

ଗୁରୁବାର ରାଜ୍ୟରେ ବେଶି ମୃତ୍ୟୁ ହୋଇଛି । ୧୨ ମୁଣ୍ଡ ନେଇଛି ମହାମାରୀ ଭୂତାଣୁ । ଏପ୍ରିଲ ମାସରେ ବର୍ତ୍ତମାନ ସୁଦ୍ଧା ୧୦୮ ଜୀବନ ଯାଇଛି । ଏପ୍ରିଲ୍‌ରେ ସଂଖ୍ୟା ଏତେ ହୋଇଥିବା ବେଳେ ମେ’ ସ୍ଥିତି ଅତି ଭୟଙ୍କର ଥିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ତେବେ ବୁଧବାର ତୁଳନାରେ ଗୁରୁବାର କିନ୍ତୁ ରାଜ୍ୟରେ ସଂକ୍ରମଣ କମିଛି । ୬୯୯୮ ଜଣ ଆକ୍ରାନ୍ତ ହୋଇଥିଲେ। ଟେଷ୍ଟିଂ ଗତକାଲି ଭଳି ଆଜି ମଧ୍ୟ ୪୪ ହଜାର ୬୪ ରହିଥିଲା । ପଜିଟିଭ୍‌ ହାର ୧୫.୮୮% ରହିଛି । ଗୁରୁବାର ଟେଷ୍ଟିଂ ରାଜ୍ୟରେ ୧ କୋଟିକୁ ଟପିଯାଇଛି ।

ଓଡ଼ିଶା ମାନଚିତ୍ର ମଧ୍ୟ ଦିନକୁ ଦିନ ଡରାଇଲା ଭଳି ହୋଇ ଚାଲିଛି । ୧୬ ଜିଲ୍ଲା ରେଡ୍‌ ଜୋନ୍‌କୁ ଚାଲିଯାଇଛି । ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲା ମଧ୍ୟ ରେଡ୍‌ଜୋନ୍‌ ନିକଟତର ହୋଇଛି । ଗୁରୁବାର ବି ସର୍ବାଧିକ ସଂକ୍ରମିତ ହୋଇଛି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୧୯ ଜଣ । ଏଥିରୁ ଭୁବନେଶ୍ୱରରରହିଛନ୍ତି ୮୫୧ ଜଣ । ସୁନ୍ଦରଗଡ଼ରେ ୪୭୪, ନୂଆପଡ଼ାରୁ ୪୨୦, ମୟୂରଭଞ୍ଜରୁ ୩୦୮, ସମ୍ବଲପୁରରୁ ୩୨୩, ଝାରସୁଗୁଡ଼ାରୁ ୩୯୬, କଟକରୁ ୫୧୭ ରୋଗୀ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ଓ କଟକରେ ଖାଲି ୧୩ ହଜାର ୪୯ ସକ୍ରିୟ ରୋଗୀ ରହିଛନ୍ତି । ଟ୍ୱିନ୍‌ସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବା ଖୋଦ୍‌ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଶଙ୍କା କରୁଛି । ତେଣୁ ଏଇ ଦୁଇ ସହରକୁ ତାଲାବନ୍ଦ କରି ଦିଆଯିବାକୁ ସବୁ ଆଲୋଚନା ସରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

କରୋନା ଡ୍ୟୁଟିରେ ଥାଇ ପ୍ରାଣ ହରାଉଥିବା ଯୋଦ୍ଧାଙ୍କ ପରିବାର ବା ନିକଟତମ ସମ୍ପର୍କୀୟଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ମଧ୍ୟ ଯୋଦ୍ଧାଙ୍କ ପରିବାରକୁ ସହାୟତା ରାଶି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସର୍ତ୍ତ ଓ ନିୟମ ସମାନ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.