ସ୍ଥିତିରେ ସୁଧାର ନଆସିଲେ ଲାଗିବ ଲକ୍ଡାଉନ୍, ଦ୍ରୁତ ସଂକ୍ରମଣକୁ ନେଇ ଏମିତି କହିଲେ ଉଦ୍ଧବ ଠାକରେ
2/04/2021 at 10:24 PM

ମୁମ୍ବାଇ ୨/୪: ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଯଦି ସ୍ଥିତିରେ ସୁଧାର ନଆସେ ତେବେ ଲକ୍ଡାଉନ୍ ନିଶ୍ଚିତ ରୂପେ ଲାଗିବ ବୋଲି ଉଦ୍ଧବ କହିଛନ୍ତି। ଏହା ସହ ମାର୍ଚ୍ଚ ପରେ ସ୍ଥିତି ଭୟାବହ ହୋଇଛି। ଏହି ଭଳି ପରିସ୍ଥିତିରେ ରାଜ୍ୟରେ ପୁଣି ଥରେ ଲକଡାଉନ୍କୁ ଅସ୍ବିକାର କରିହେବ ନାହିଁ ବୋଲି ସେ କହିଛନ୍ତି ।
ଆଗାମୀ ଦିନରେ ଦୈନିକ ଅଢ଼େଇ ଲକ୍ଷ ଆରଟି ପିସିଆର ଟେଷ୍ଟ କରିବାକୁ ଯୋଜନା ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କିଛି ଦିନ ପାଇଁ ରାଜ୍ୟରେ କଠୋର ନିୟମର ଆବଶ୍ୟକତା ରହିଛି। ଏନେଇ କିଛି ଦିନ ଭିତରେ ସୂଚନା ଦିଆଯିବ। ସ୍ଥିତି ଅଣାୟତ୍ତ ହୋଇଗଲେ ଲକ୍ଡାଉନ୍ ଉପରେ ବିଚାର କରାଯିବ। ଚାକିରୀ ମିଳିଯିବ କିନ୍ତୁ ଜୀବନ ଗଲେ ଫେରିବନି। ଲକ୍ଡାଉନ୍ର ବିକଳ୍ପ ଖୋଜିବାକୁ ପଡ଼ିବ।
ସ୍ଥିତି ଏମିତି ରହିଲେ କିଛି ଦିନରେ ହସ୍ପିଟାଲ ଫୁଲ୍ ହୋଇଯିବ। ସମସ୍ତ ରାଜନେତାଙ୍କୁ ଉଦ୍ଧବ ଅନୁରୋଧ କରି କହିଛନ୍ତି ଏଭଳି ପରିସ୍ଥିତିରେ ରାଜନୀତି କରନ୍ତୁ ନାହିଁ। ଆଗୁକୁ ଉଦ୍ଧବ ଠାକରେ ଆହୁରି କହିଛନ୍ତି, ମହାରାଷ୍ଟ୍ର ଏମିତି ରାଜ୍ୟ ଯେଉଁଠି ଖୁବଶୀଘ୍ର ହସ୍ପିଟାଲ ନିର୍ମାଣ ହୋଇଛି। ମୁମ୍ବାଇରେ ଜାନୁଆରୀ ଏବଂ ଫେବୃଆରୀ ଶେଷ ବେଳକୁ ପ୍ରତି ଦିନ ୩୦୦-୪୦୦ ଆକ୍ରାନ୍ତ ଆସୁଥିଲେ ଏବେ ଦୈନିକ ୮୦୦୦ରୁ ଅଧିକ ଆସୁଛନ୍ତି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନଜରରେ ରଖି ପୁଣେରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ୩ ଏପ୍ରିଲ୍ରୁ ଏହି କଟକଣା ଲାଗୁ କରାଯିବ। ସନ୍ଧ୍ୟା ୬ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।