ସାରା ଦେଶରେ ୨ ସପ୍ତାହ ବଢିବ ଲକ୍ଡାଉନ୍ ! ଆଜି ରାତି କିମ୍ବା କାଲି ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
11/04/2020 at 3:27 PM

ନୂଆଦିଲ୍ଲୀ ୧୧।୦୪: କରୋନା ଉପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, ପ୍ରଧାନମନ୍ତ୍ରୀ ଦେଶରେ ଲକ୍ଡାଉନ୍ ଆଉ ଦୁଇ ସପ୍ତାହ ବଢାଇ ପାରନ୍ତି। ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ କିମ୍ବା କାଲି ସକାଳେ ଲକ୍ଡାଉନ୍ ବଢାଇବା ନେଇ ଘୋଷଣା କରି ପାରନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ଘୋଷିତ ୨୧ ଦିନିଆ ଲକ୍ଡାଉନ୍ ଏପ୍ରିଲ ୧୪ରେ ଶେଷ ହେଉଛି। ଯଦି ଦୁଇ ସପ୍ତାହ ଲକ୍ଡାଉନ୍ ବଢେ ତେବେ ଏହି ତାରିଖ ଏପ୍ରିଲ ୨୮ ପର୍ଯ୍ୟନ୍ତ ଯାଇପାରେ।
ଦେଶରେ ଏପ୍ରିଲ ୧୪ରେ ଲକ୍ଡାଉନ୍ ରହିବ କି ଉଠିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ମାତ୍ର ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ଅବଧି ବଢାଇବା ନେଇ ସହମତି ପ୍ରକାଶ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଦୁଇ ସପ୍ତାହ ଲକ୍ଡାଉନ୍ ବଢାଇବାର ସଙ୍କେତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ କେବେ ସମ୍ବୋଧିତ କରିବେ ଏହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଏହା ମଧ୍ୟ ଚାଲିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତିରେ ଦେଶକୁ ସମ୍ବୋଧିତ କରି ପାରନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ସେ ଦେଶକୁ ଲକ୍ଡାଉନ୍ର ନୂତନ ସମୟ ସୀମା ବିଷୟରେ କହି ପାରନ୍ତି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କୁ ରିଲିଫ୍ ଘୋଷଣା କରି ପାରନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବେ ଏକ ଭିଡିଓ ସନ୍ଦେଶ ଜାରି କରି ଲୋକଙ୍କୁ ଲକ୍ଡାଉନ୍ ଦୃଢ ଭାବେ ପାଳନ କରିବାକୁ ଅପିଲ୍ କରିଥିଲେ। ପ୍ରଥମ ଲକ୍ଡାଉନ୍ ଘୋଷଣା ସେ ରାତି ୮ଟାରେ ରାଷ୍ଟ୍ରର ନାମରେ ସମ୍ବୋଧନ କରିଥିଲେ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। କେଜ୍ରିଓ୍ଵାଲ ଦେଶବ୍ୟାପୀ ଲକ୍ଡାଉନ୍ ବଢାଇବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଲକ୍ଡାଉନ୍ ବଢାଇବାର ସମର୍ଥନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଇଣ୍ଡଷ୍ଟ୍ରୀ ଓ ଚାଷ ସମ୍ବନ୍ଧିତ ଜିନିଷରେ ରିଲିଫ୍ ମିଳିବା ଉଚିତ୍। ରାପିଡ୍ କିଟ୍ର ଉପଲବ୍ଧତା ଦ୍ରୁତ ଗତିରେ ହେବା ଉଚିତ୍।
ଆଜି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ ସଂପ୍ରତି ସ୍ଥିତି ନେଇ ବୈଠକରେ ଆଲୋଚନା କରିଛନ୍ତି। ଏଥିସହ କରୋନା ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଆପଣ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର ୨୪ ଘଣ୍ଟା ଓ ସାତ ଦିନ ଉପଲବ୍ଧ ଅଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର କାନ୍ଧରେ କାନ୍ଧ ମିଶାଇ ଚାଲିବେ। ତେବେ ଯାଇ ଆମେ ଦେଶ ଓ ଦେଶବାସୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରି ପାରିବା। ଏହି ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସ୍ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି।