ଆହୁରି ୧୫ ଦିନ ବଢିପାରେ ଲକଡାଉନ୍, ଶାହଙ୍କ ସହ ଆଲୋଚନା ପରେ କହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
29/05/2020 at 4:03 PM

ପାନାଜୀ, ୨୯|୦୫: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏହି ମାରାତ୍ମକ ଭାଇରସ ୪୦୦୦ରୁ ଅଧିକ ଜୀବନ ନେଇସାରିଥିବା ବେଳେ ପ୍ରାୟ ଦେଢ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହି ଭାଇରସ ପ୍ରଭାବରେ ଦେଶର ଅର୍ଥନୀତି ବିଗିଡି ଯାଇଛି । ଫଳରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ତେବେ କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ । ଯାହା ପର୍ଯ୍ୟାୟକ୍ରମେ ମେ ୩୧ ଯାଏଁ ବୃଦ୍ଧି ପାଇଛି ।
ତେବେ ଲକଡାଉନ୍ ୪ ଆଉ ୨ ଦିନ ଅର୍ଥାତ ମେ ୩୧ରେ ଶେଷ ହେବାକୁ ଯାଉଛି । କିନ୍ତୁ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଲକଡାଉନକୁ ଆଉ ୧୫ ଦିନ ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଦେଶରେ କରୋନା ମାମଲା ଲଗାତାର ଭାବେ ବୃଦ୍ଧି ପାଉଛି । ସଂକ୍ରମଣ ରୋକିବା ପାଇଁ ଲକଡାଉନକୁ ବୃଦ୍ଧି କରିବା ଆବଶ୍ୟକ । ଏହାପୂର୍ବରୁ ପ୍ରମୋଦ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ।

ପ୍ରମୋଦ ଆହୁରି କହିଛନ୍ତି ଯେ, ସେ କେନ୍ଦ୍ର ସରକାରଙ୍କୁ ଗୋଆରେ ହୋଟେଲ, ରେଷ୍ଟୁରାଣ୍ଟ,ମଲ୍ ଓ ଜିମକୁ ସାମାଜିକ ଦୂରତା ରକ୍ଷା କରି ଖୋଲିବା ପାଇଁ ପରାମର୍ଶ ଦେବେ । ଗୃହମନ୍ତ୍ରାଳୟ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରିପାରେ । ଦେଶରେ ଲକଡାଉନ୍ ୪.୦ ମେ ୧୮ରୁ ଆରମ୍ଭ ହୋଇଥିଲା । ଯାହା ମେ ୩୧ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ଦୋକାନ ଓ ବ୍ୟବସାୟୀଙ୍କ ପାଇଁ କଟକଣା କୋହଳ କରାଯାଇଥିଲା । ପ୍ରଥମ ଥର ପାଇଁ କଣ୍ଟେନମେଣ୍ଟ୍ ଜୋନ ବାହାରେ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଥିଲା ।