ନଭେମ୍ବର ୩୦ ଯାଏଁ ବଢିଲା ଲକଡାଉନ୍ : କଡାକଡି ପାଳନ ପାଇଁ ନିର୍ଦ୍ଦେଶ, ବିନା ମାସ୍କରେ ବୁଲିଲେ ଆଉ ନିସ୍ତାର ନାହିଁ

Published By : Prameya-News7 Bureau | October 29, 2020 IST

ମୁମ୍ବାଇ, ୨୯।୧୦:  କରୋନା ମହାମାରୀକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଲକଡାଉନର ସମୟସୀମାକୁ ନଭେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି । ଗୁରୁବାର ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

କରୋନାର ପ୍ରକୋପକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଜିଆରପିକୁ ରେଳ ଷ୍ଟେସନ ଓ ଟ୍ରେନରେ ବିନା ମାସ୍କ ପିନ୍ଧୁଥିବା ଲୋକଙ୍କଠାରୁ ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେଉଁଥି ପାଇଁ କେତେ ଟଙ୍କା ଜରିମାନା ଲାଗିବ ତାହା ଗ୍ରେଟର ମୁମ୍ବାଇ ନଗର ନିଗମ ଉପରେ ନିର୍ଭର କରେ । ତେବେ ସେପ୍ଟେମ୍ବରରେ ଲାଗୁ ଜରିମାନା ରାଶିକୁ ମହାନଗର ନିଗମ କର୍ତ୍ତୃପକ୍ଷ ଜାରି ରଖି ପାରନ୍ତି । ଏବେ ମୁମ୍ବାଇରେ ସାର୍ବଜନୀନ ସ୍ଥାନରେ ବିନା ମାସ୍କରେ ବୁଲିଲେ ୨୦୦ ଟଙ୍କା ଜରିମାନା ଲାଗୁଛି ।

ମହାରାଷ୍ଟ୍ରରେ ଲଗାତର ଭାବେ କରୋନା ମାମଲା ବଢୁଛି । ଯାହା ରାଜ୍ୟ ଓ କେନ୍ଦ୍ରର ଚିନ୍ତା ବଢାଇ ଦେଇଛି । ବୁଧବାର ରାଜ୍ୟରେ ୬ ହଜାର ୭୩୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ମୋଟ୍ ମାମଲା ୧୬ ଲକ୍ଷ ୬୦ ହଜାର ଅତିକ୍ରମ କରିଛି । ଏବେବି ୧ଲକ୍ଷ ୩୦ ହଜାରରୁ ଅଧିକ ସକ୍ରିୟ କେସ୍ ରହିଛି । ଆହୁରି ମଧ୍ୟ ୪୩ ହଜାର ୫୫୪ କରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡିଛନ୍ତି ।

ପୂର୍ବରୁ ରାଜ୍ୟରେ ଉଦ୍ଧବ ଠାକରେଙ୍କ ସରକାର ଅକ୍ଟୋବର ୫ରୁ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଇଥିଲେ । ଏବେ କିନ୍ତୁ ମହାମାରୀର ସ୍ଥିତିକୁ ଦେଖି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ଅଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକ ଅଭୟ ୟାବଲକର କହିଛନ୍ତି ଯେ, କରୋନା ରୋକିବା ପାଇଁ ସମସ୍ତ ନିୟମ ମାନିବା ଉଚିତ । କଟକଣାକୁ କଡାକଡି ଭାବେ ପାଳନ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.