ଏହି ସହରରେ ଏପ୍ରିଲ ୪ ଯାଏଁ ଲାଗୁ ହେଲା ଲକଡାଉନ୍ : ଶନିବାର ଓ ରବିବାର ସବୁ ବନ୍ଦ, ଅନ୍ୟଦିନ ନାଇଟ୍ କର୍ଫ୍ୟୁ

Published By : Prameya-News7 Bureau | March 11, 2021 IST

ମୁମ୍ବାଇ, ୧୧/୦୩ :  ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ରରେ ପୁଣି ଫେରିଛି ଲକଡାଉନ୍ । ରାଜ୍ୟର ଔରଙ୍ଗାବାଦ ସହରରେ ରାତି ୯ଟାରୁ ସକାଳ ୭ଟା ଯାଏଁ ଲକଡାଉନ୍ ଲାଗୁ କରାଯାଇଛି । ଏହାସହ ପ୍ରତି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଲକଡାଉନ ହେବ ।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ମାସ ୪ ତାରିଖ ଯାଏଁ ସୀମିତ ଲକଡାଉନ୍ ରହିବ । କେବଳ ଜରୁରୀ ସେବା ଜାରି ରହିବ । ସେହିପରି ଔରଙ୍ଗାବାଦ ନଗର ପାଳିକାର ଅଧ୍ୟକ୍ଷ କୁମାର ପାଣ୍ଡେୟ କହିଛନ୍ତି ଯେ, ମାସ୍କ ନପିନ୍ଧିଲେ ଲୋକଙ୍କଠାରୁ ଜରିମାନା ନିଆଯିବ । ଏବେସୁଦ୍ଧା ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଲାଗୁଛି ।

ମହାରାଷ୍ଟ୍ରରେ କରୋନା ଭାଇରସର ସଂକ୍ରମଣ ବଡିବାରେ ଲାଗିଛି । ବୁଧବାର ହିଁ ୧୩୬୫୯ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏହାସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨୫୨୦୫୭ରେ ପହଁଚିଛି । ଆହୁରି ମଧ୍ୟ ଗୋଟିଏ ଦିନରେ ୫୪ଜଣ ଆକ୍ରାନ୍ତ ଜୀବନ ହାରିଛନ୍ତି ।

ରାଜ୍ୟରେ ଶେଷଥର ପାଇଁ ଅକ୍ଟୋବର ୮ରେ ଦୈନିକ ସଂକ୍ରମଣ ୧୩୩୯୫ ଥିଲା । ଏହାପରେ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଥିଲା । ବୁଧବାର ୯୯୧୩ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯୨୦୭ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.