ଗଜପତିରେ ଲକଡାଉନ କଡାକଡି, ଓଡିଶା-ଆନ୍ଧ୍ର ସୀମା ସିଲ୍ , ଗଳାବାଟ ଉପରେ ପୋଲିସର ନଜର

Published By : Prameya-News7 Bureau | April 24, 2020 IST

ଗଜପତି, ୨୪|୦୪:   ପଡୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ମାଧ୍ୟମରେ ଓଡ଼ିଶାରେ କରୋନା ସଂକ୍ରମିତ ହେଉଥିବା ଜଣାପଡିବା ପରେ ଆନ୍ତଃରାଜ୍ୟ ସୀମା ସୁରକ୍ଷାକୁ ବଢାଇ ଦିଆଯାଇଛି । ସୀମାରେ ଥିବା ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଯିବା ପାଇଁ ଥିବା ସମସ୍ତ ମୁଖ୍ୟ ରାସ୍ତାକୁ ସିଲ୍ କରାଯିବା ପରେ ମଧ୍ୟ କିଛି ଲୋକେ ଗଳାବାଟ ଦେଇ ଯାତାୟତ କରୁଥିବା ନେଇ ପ୍ରଶାସନ ଜାଣିବାକୁ ପାଇଥିଲା । ଫଳରେ ଆନ୍ଧ୍ରକୁ ସଂଯୋଗ କରୁଥିବା ସମସ୍ତ ଗଳାବାଟକୁ ମଧ୍ୟ ଆଜି ଠାରୁ ବନ୍ଦ କରିଦିଆଯାଇଛି । ସେହି ସବୁ ସୁନରେ ଅଧିକ ପୁଲିସ ମୁତୟନ କରାଯାଇ ଯାଞ୍ଚକୁ କଡାକଡି କରିଦିଆଯାଇଛି । ଏପରିକି କିଛି ଗଳବାଟରେ ପ୍ରଶାସନ ଟ୍ରେଚ ଖୋଳିଦେଇଛି । ଏହାପରେ ଗଳାବାଟ ଦେଇ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ୩୫ଜଣ ଅନୁପ୍ରବେଶକାରୀ ଧରାପଡିଛନ୍ତି । ଏମାନଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ବୋଲି ପ୍ରଶାସନ କହିଛି ।

{"id":259397,"width":778,"height":423,"sizeSlug":"large"}

ଆନ୍ଧ୍ରର ଶ୍ରୀକାକୁଲ ଜିଲ୍ଲା ଏବଂ ଓଡିଶାର ଗଜପତି ଜିଲ୍ଲା ମଧ୍ୟରେ ପ୍ରତିଦି ଶହ ଶହ ଗାଡିମୋଟର ଯାତାୟତ କରିଥାଏ । ଏପରିକି ଏହି ଦୁଇ ଜିଲ୍ଲାର ବିଭିନ୍ନ ଗାଁରେ ନିକଟ ସଂପର୍କୀୟମାନେ ରହୁଥିବାରୁ ସେମାନଙ୍କ ଆତଯାତ ମଧ୍ୟ ଲାଗି ରହିଥାଏ । ଏପରିକି ଆନ୍ଧ୍ରର କିଛି ବ୍ୟବସାୟୀ ପ୍ରତିଦିନ ପାରଳାଖେମୁଣ୍ଡି ଆସି ନିଜର ବ୍ୟବସାୟ କରିଥାନ୍ତି । କରୋନା ମୁକାବିଲା ପାଇଁ ଲକଡାଉନ ଘୋଷଣା ହେବା ସହ ଆନ୍ତଃରାଜ୍ୟ ସୀମା ସିଲ୍ ପାଇଁ ନିର୍ଦ୍ଦେଶ ଆସିବା ପରେ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଏହା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଫଳରେ ଲୋକେ ଗଳବାଟ ଖୋଜି ସେହି ରାସ୍ତାରେ ଯାତାୟତ କରୁଥିଲେ । ଏପରିକି ନଦୀର ପାଣି ଭିତରେ ପଶି ପରିବା ବିକାଳିମାନେ ପାରଳାଖେମୁଣ୍ଡି ଆସୁଥିଲେ । ତେବେ ପଶ୍ଚିମବଙ୍ଗରୁ କିଛି ଲୋକ ଆସିବା ପରେ କରୋନା ସଂକ୍ରମିତ ଓଡିଶାରେ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଆନ୍ତଃରାଜୟ ସୀମା ସୁରକ୍ଷାକୁ ବଢ଼ାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ପୁଲିସ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ବିଭିନ୍ନ ସ୍ଥାନ ବୁଲି ସମସ୍ତ ଗଳାବାଟକୁ ଠାବ କରିଥିଲେ । ଲୋକେ ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟତ କରୁଥିବା ୨୦ରୁ ଅଧିକ ଗଳାବାଟକୁ ଠାବ କରାଯାଇ ସେହିସବୁ ସ୍ଥାନରେ ପୁଲିସ ମୁତୟନ କରାଯାଇଛି ।

ଏପରିକି କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ଟ୍ରେଞ୍ଚ ଖୋଳାଯାଇ ଲୋକଙ୍କ ଯାତାୟତରେ ରୋକ ଲଗାଇବାର ପ୍ରୟାସ କରାଯାଇଛି । ଏହାଙ୍କୁ ଜିଲ୍ଲାପାଳ ଏବଂ ଏସପି ମିଳିତ ଭାବେ ତଦାରଖ କରୁଥିବା ବେଳେ ବହୁ ବରିଷ୍ଠ ଅଧିକାରୀଙ୍କୁ ଏହାର ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରଶାସନ ଗଳାବାଟକୁ ଠାବ କରି ସେସବୁ ସ୍ଥାନରେ ପୁଲିସ ମୁତନ କରିବା ପରେ ଶୁକ୍ରବାର ସକାଳୁ କିଛି ଅନୁପ୍ରବେକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅନୁପ୍ରବେଶକାରୀମାନେ ଭେଳା କିମ୍ବା ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଥିବା ଜାଣି ଏସବୁକୁ ପ୍ରଶାସନ ଜବତ କରିବା ପରେ ଆନ୍ଧ୍ରର ଚାଙ୍ଗୁଡି ଗାଁରୁ ପରିବା ନେଇ ପାରଳାଖେମୁଣ୍ଡିରେ ବିକ୍ରି କରିବା ପାଇଁ ନଦୀର ଗଭୀର ପାଣି ଭିତରେ ପଶି ଆସୁଥିବା ବେଳେ ପ୍ରଶାସନ ହାତରେ ଧରାପଡ଼ିଛନ୍ତି । ଆଜି ୩୫ଜଣ ଏଭଳି ବ୍ୟକ୍ତିଙ୍କୁ ପ୍ରଶାସନ ଧରିବା ସହ ସେମାନଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି ।.

ପ୍ରଶାସନ ସୀମା ସୁରକ୍ଷାକୁ ବଢାଇଦେଇଥିବା ବେଳେ ସମସ୍ତ ଗଳାବାଟକୁ ମଧ୍ୟ ଜଗିଛି । କେବଳ ସେତିକି ନୁହେଁ,ଆନ୍ଧ୍ରକୁ ସଂଯୋଗ କରୁଥିବା ସମସ୍ତ ପଥକୁ ବର୍ତମାନ ବିଶୋଧନ କରାଯାଇଛି । ଅଘ୍ନିଶମ କର୍ମଚାରୀମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି  । ଗଳବାଟ ଦେଇ ଆସୁଥିବା ବେଳେ ପ୍ରଶାସନ ହାତରେ ଧରାପ଼ଡିଥିବା ଅନୁପ୍ରବେଶକାରୀ କହିଛନ୍ତି ଯେ, ଆମେ କାହିଁ କେଉଁ କାଳରୁ ପରିବା ବିକ୍ରି ପାଇଁ ପାରଳଶାଖେମୁଣ୍ଡି ବଜାରକୁ ଆସୁଛୁ । ତେବେ ମୁଖ୍ୟରାସ୍ତା ଦେଇ ଆସିଲେ ପୁଲିସ ଅଟକାଉଥିବାରୁ ସେମାନେ ବାଧ୍ୟ ହୋଇ ନଦୀରେ ପଶି ଆସୁଥିବା କହିଛନ୍ତି ।.. ପ୍ରଶାସନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୀମା ସିଲ୍ କରାଯାଇଥିଲେ ମଧ୍ୟ ଗଳାବାଟ ଦେଇ ଲୋକେ ଯାତାୟତ କରୁଥିଲେ । ଯାହା ଆମ ପାଇଁ ଚିନ୍ତାର କାରଣ ଥିଲା । ତେବେ ପ୍ରଶାସନ ଏହାକୁ ଠାବ କରି ବନ୍ଦ କରିବା ଦ୍ବାରା ଲୋକେ ଆଶ୍ବସ୍ତ ଅନୁଭବ କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.