ଲକଡାଉନ୍ ବେଳେ ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡିଲା ପରିବା କ୍ଷେତ ଓ ରବି ଫସଲ ହାଲ ବେହାଲ

Published By : Prameya-News7 Bureau | April 25, 2020 IST

କଟକ, ୨୫|୦୪:  ଚାଷୀ ମୁଣ୍ଡରେ ଚଡକ । ଅଦିନିଆ ବର୍ଷା ଚାଷୀ କୂଳ ପାଇଁ ଦାଉ ସାଜିଛି । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡା ଅଞ୍ଚଳରେ  ଗତ ଦୁଇଦିନର ଅଦିନିଆ ଝଡ ବର୍ଷା ପନିପରିବା ଓ ରବି ଫସଲକୁ ନଷ୍ଟ କରିଦେଇଛି । ଏପରି ହଜାର ହଜାର ହେକ୍ଟର ଚାଷ ଜମିରେ ପନିପରିବା ଓ ମୁଗ ଫସଲ ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି । ମୁଗ, ବିରି  ବିଲରେ ଏବେ ଆଣ୍ଠୁଏ ପାଣି । ପାଚିଲା ମୁଗ କିଆରୀରେ ବର୍ଷା  ପାଣି ଜମି ରହିବାରୁ ଫସଲ ନଷ୍ଟ ହେବା ସହ କେତେକ ସ୍ଥାନରେ ମୁଗ ଗଜା ହୋଇଛି । ଲକ ଡାଉନ ଯୋଗୁ ଦୁର୍ଦ୍ଦଶା ଭୋଗୁଥିବା ଚାଷୀ ଫସଲ ନଷ୍ଟ ନେଇ ମୁଣ୍ଡରେ ହାତ ଦେଇଛି । ଉଜୁଡା ଫସଲକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି ।

{"id":259978,"width":744,"height":439,"sizeSlug":"large"}

ସେପଟେ  ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ପାଇଁ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ଓ କାଳବୈଶାଖୀ ଆଶଙ୍କା ରହିଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ସ୍ଥାନେସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏଥିସହ ସୁନ୍ଦରଗଡ଼, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଝଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

{"id":259979,"width":751,"height":467,"sizeSlug":"large"}

ସେହିଭଳି ଆସନ୍ତା ୨୭ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୮ତାରିଖରେ ଏହା ଲଘୁଚାପ କ୍ଷେତ୍ର ଓ ୨୯ରେ ୱେଲ ମାର୍କ ଲୋ ପ୍ରେସର୍ ରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଥମେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ । ଗତିପଥରେ ଏହା ଅଣ୍ଡାମାନର ପଶ୍ଚିମ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବା ସହ ପାଖାପାଖି ମେ’ ୪-୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ କହିଛି ।

{"id":259980,"width":751,"height":460,"sizeSlug":"large"}

ଏହି ସାଇକ୍ଲୋନିକ ସିଷ୍ଟମ, ସମୁଦ୍ରରେ କେତେଦିନ ରହିବ, କେତେ ଘନୀଭୂତ ହେବ, ନିର୍ଦ୍ଦିଷ୍ଟ ଭାବେ କେଉଁଠି ପହଞ୍ଚିବ, ତାହା ଏବେ କହି ହେବ ନାହିଁ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ସେମିତି ପଡ଼ିବ ନାହିଁ । ତେବେ ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.