ଲକଡାଉନ୍ ଲଜ୍ଜା : ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୁଣି ଓଟିଭି କର୍ମଚାରୀଙ୍କୁ ଥାନାରେ ଜେରା, ତୁରନ୍ତ ସଂସ୍ଥା ମୁଖ୍ୟଙ୍କ ଗିରଫ ଦାବି କଲା ପ୍ରୋଗ୍ରେସିଭ୍ ଓମେନ୍ ଫୋରମ୍

Published By : Prameya-News7 Bureau | September 18, 2020 IST

ଭୁବନେଶ୍ୱର, ୧୮|୦୯ : ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳାଥାନାରେ ହାଜର ହେଲେ ଓଟିଭିର ମାନବସମ୍ବଳ ବିଭାଗ ମୁଖ୍ୟ । ଏହି ମାମଲାରେ ପୂର୍ବରୁ ସଂପୃକ୍ତ ଟିଭି ଚାନେଲର ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ସେପଟେ ଓଟିଭି ଏମଡିଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଛି ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓମେନ୍‌ ଫୋରମ୍‌ । ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମାଆଙ୍କ ଉପରେ ଚାପ ପକାଇବା ସହ ତଥ୍ୟ ଲୁଚାଇବା ଅଭିଯୋଗ କରିଛି ।

ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ ଓଟିଭିର ମାନବସମ୍ବଳ ବିଭାଗ ମୁଖ୍ୟ । ପ୍ରାୟ ୨ଘଣ୍ଟା ଧରି ସଂପୃକ୍ତ ଅଧିକାରୀଙ୍କୁ ପଚରା ଉଚରା କରିଛି ପୋଲିସ । ପୂର୍ବରୁ ଚାନେଲର ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଥିଲା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଟିଭି ଚାନେଲର କିଛି କର୍ମଚାରୀ, ସୁରକ୍ଷା  କର୍ମୀ ଓ ଜଣେ ପୋଲିସ କର୍ମୀ ଓ ତାଙ୍କ ସହଯୋଗୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଗଲା ଅଗଷ୍ଟ ୩୦ରେ ଅଭିଯୋଗ ଓ ୩୧ରେ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ । ଏହି ଘଟଣାରେ ବିଭିନ୍ନ ଦିଗକୁ ନେଇ ଟିଭି ଚାନେଲ କର୍ମଚାରୀଙ୍କୁ ଡାକି ପଚରା ଉଚରା ଚଳାଇଛି । ସେପଟେ ଏହି ମାମଲାରେ ଓଟିଭିର ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ଆସନ୍ତା ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିବାକୁ ରାଜ୍ୟ ମହିଳା କମିଶନ ନୋଟିସ କରିଛନ୍ତି । ସେପଟେ ବେଳେ ଆଜି ଏକ ସାମାଜିକ ସଂସ୍ଥା ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓମେନ ଫୋରମ୍‌ ପକ୍ଷରୁ ମହିଳା ଥାନାରେ ଓଟିଭି ଏମଡିଙ୍କ ବିରୋଧରେ ଏତଲା ଦିଆଯାଇଛି । ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମାଆଙ୍କ ଉପରେ ଚାପ ପକାଇବା ସହ ତଥ୍ୟ ଲୁଚାଇବା ଅଭିଯୋଗ କରିଛି ଏହି ସଂସ୍ଥା । ତେଣୁ ପୋକ୍ସୋ ଆକ୍ଟରେ ଓଟିଭି ଏମଡିଙ୍କୁ ଗିରଫ କରିବାକୁ ଦାବି କରିଛି ଏହି ସଂଗଠନ ।

ଗଲା ମାର୍ଚ୍ଚ-ଏପ୍ରିଲ୍‌ ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଜଣେ ୧୩ବର୍ଷର ନାବାଳିକା  ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଏହି ଘଟଣାରେ   ୭ଜଣ ଅଭିଯୁକ୍ତ ଅଛନ୍ତି ବୋଲି ପୀଡ଼ିତାଙ୍କ ମାଆ ଗଲା ଅଗଷ୍ଟ ୩୦ରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ମାମଲାର ତଦନ୍ତ ଚଳାଇଛି । ସେପଟେ ରାଜ୍ୟ ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ  ପୋଲିସକୁ ନିର୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ତଦନ୍ତ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.