Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂରା ଦେଶରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରିବା ମନା, ଏସବୁ ରହିବ ବନ୍ଦ

1/05/2020 at 8:47 PM

ନୂଆଦିଲ୍ଲୀ ୦୧।୦୫: ଦେଶରେ କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାତ୍ର ଲକ୍‌ଡାଉନ୍‌ରେ ସରକାର ଅନେକ ପ୍ରକାରର ରିହାତି ଦେଇଛନ୍ତି। ରେଡ୍ ଜୋନ୍, ଗ୍ରୀନ ଜୋନ୍‌ ଓ ଅରେଞ୍ଜ ଜୋନ୍‌ରେ ଅଲଗା ଅଲଗା ଗାଇଡ୍‌ଲାଇନ୍‌ ଅନୁଯାୟୀ କୋହଳ ଦିଆଯାଇଛି। ହେଲେ ସବୁ ଜୋନରେ ଯାହା ବି ଗତିବିଧି କାର୍ଯ୍ୟକଳାପ ଚାଲିବ ତାହା ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ। ଏହା ପରେ ସକାଳ ୭ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ହେବ।

ଲକ୍‌ଡାଉନ୍‌ ସମୟରେ ବିମାନ, ରେଳ, ମେଟ୍ରୋ ଯାତ୍ରା ସହିତ ଆନ୍ତଃରାଜ୍ୟ ଗମନାଗମନ ବନ୍ଦ ରହିବ। ଏହା ସହିତ ସ୍କୁଲ, କଲେଜ ବନ୍ଦ ରହିବ। ଗୃହ ମନ୍ତ୍ରଣାଳୟ ଅନୁସାରେ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ, କୋଚିଂ ସେଣ୍ଟର, ହୋଟେଲ, ରେସ୍ତୋରାଁ ସହିତ ଆତିଥ୍ୟ ସତ୍କାର ସେବା, ସିନେମା ହଲ, ମଲ, ଜିମ୍, ଖେଳ ପରିସର, ରାଜନୈତିକ, ସାଂସ୍କୃତିକ ଆୟୋଜନ ସ୍ଥଳ ତଥା ଧାର୍ମିକ ସ୍ଥଳ ଲକ୍‌ଡାଉନ୍‌ ସମୟରେ ବନ୍ଦ ରହିବ।

ସରକାରୀ ଆଦେଶ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅଣ ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ରହିବ। ସ୍ଥାନୀୟ ପ୍ରଶାସନ ଲୋକଙ୍କ ଯାତାୟତ ଉପରେ ରୋକ୍ ଲଗାଇବା ପାଇଁ ସିଆରପିସିର ଧାରା ୧୪୪ ଅନ୍ତର୍ଗତ କର୍ଫ୍ୟୁର ଘୋଷଣା ମଧ୍ୟ କରି ପାରନ୍ତି। ସମସ୍ତ ଜୋନରେ ଗର୍ଭବତୀ ମହିଳା, ୬୫ ବର୍ଷରୁ ଅଧିକ ବୟସର ବୃଦ୍ଧ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଘରେ ରହିବା ଜରୁରୀ।

ଲୋକଙ୍କ ସାର୍ବଜନୀନ ସ୍ଥଳରେ ବଡ ସଂଖ୍ୟା ଏକତ୍ର ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ। ଲୋକଙ୍କୁ ସାମାଜିକ  ଦୂରତ୍ଵ ପାଳନ କରିବାକୁ ପଡିବ। ସାମୁହିକ ଆୟୋଜନ ଉପରେ ମଧ୍ୟ କଟକଣା ଜାରି ରହିବ। ସରକାରୀ ନିର୍ଦ୍ଦେଶ ମୁତାବକ ଜିମ୍ ଓ ସ୍ପୋର୍ଟ୍ସ କ୍ଲବ ମଧ୍ୟ ବନ୍ଦ ରହିବ। କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ୍ ଜାରି ରହିବ।

   Related Posts