ଏହି ଦୁଇ ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍‌ ଅବଧି, ନିୟମ କେଉଁଠି କେମିତି ?

Published By : Prameya-News7 Bureau | June 06, 2021 IST

ଡେରାଡୁନ୍‌ ୬/୬: ଦେଶରେ କରୋନାର ଦ୍ବିତୀୟ ଲହର ପ୍ରକୋପ କମ୍‌ କରିବା ତଥା ସଂକ୍ରମଣ ଚେନ୍‌ରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ରାଜ୍ୟ କଟକଣା ଲଗାଉଛନ୍ତି। ଯଦିଓ ଦେଶରେ ସଂକ୍ରମଣ ହାର କମୁଛି କିନ୍ତୁ କିଛି ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି। ଅନ୍ୟପଟେ କରୋନା କର୍ଫ୍ୟୁ  ହେଉ ଅବା ଲକ୍‌ଡାଉନ୍‌ ଫଳପ୍ରଦ ସାବ୍ୟସ୍ତ ହେଉଛି। ତେଣୁ ବିଭିନ୍ନ ରାଜ୍ୟ ସରକାର  ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରୁଛନ୍ତି। ଏହାରି ଭିତରେ ଉତ୍ତରାଖଣ୍ଡ ସରକାର କରୋନା କର୍ଫ୍ୟୁ ଅବଧି ବୃଦ୍ଧି କରିଥିବା ଜଣାପଡ଼ିଛି।  ଏହା ସହ ହରିୟାଣାରେ ମଧ୍ୟ ଲକ୍‌ଡାଉନ୍‌ ବୃଦ୍ଧି ହୋଇଛି।

ଉତ୍ତରାଖଣ୍ଡରେ ୧୫ ଜୁନ୍‌ ସକାଳ ୬ ଯାଏ କର୍ଫ୍ୟୁ ବଢ଼ାଇଲେ ସରକାର। ଏହା ସହ ଅନ୍ୟ ରାଜ୍ୟରୁ ଉତ୍ତରାଖଣ୍ଡ ଗଲେ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଜରୁରୀ। ଗ୍ରୋସରି ଦୋକାନ ୯ ଜୁନ୍‌ ଏବଂ ୧୪ ଜୁନ୍‌ରେ ଖୋଲା ରହିବାକୁ ଥିବା ବେଳେ ମଦ ଦୋକାନକୁ ୩ ଦିନ ସମୟ ଦିଆଯାଇଛି। ଓ୍ବାଇନ୍‌ ସପ୍‌ ୯,୧୧,୧୪ ଜୁନ୍‌ରେ ଖୋଲା ରହିବ। ଏହା ସହ ଅଟୋ ଏବଂ ମୋବାଇଲ୍‌ ଆସେସରିଜ୍‌ ଦୋକାନ ଖୋଲିବ।  ସମତଳ ଅଞ୍ଚଳରୁ ପାହାଡ଼ିଆ ଅଞ୍ଚଳକୁ ଯିବାକୁ ହେଲେ କରୋନା ନେଗେଟିଭ୍‌ ରିପୋର୍ଟ ଦରକାର।

ଅନ୍ୟପଟେ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ାଇଛନ୍ତି ହରିୟାଣା  ସରକାର। ୧୪ ଜୁନ୍ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ବଢ଼ାଯାଇଛି। ହେଲେ ଏଥରର ଲକ୍‌ଡାଉନ୍ ପୂର୍ବପରି ହେବ ନାହିଁ। ଏଥିରେ ସାମାନ୍ୟ କୋହଳ କରାଯାଇଛି। ଲକ୍‌ଡାଉନ୍‌ ବଢାଯାଇଥିଲେ ବି ରାଜ୍ୟରେ ଧାର୍ମିକ ସ୍ଥଳ, ଦୋକାନ, ମଲ୍‌, ରେଷ୍ଟୁରାଣ୍ଟ ଓ ବାର୍ ଆଦି ଖୋଲିବାକୁ ଅନୁମିତ ଦିଆଯାଇଛି। ଜାରୀ ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, କ୍ଲବ୍ ହାଉସ, ରେଷ୍ଟୋରାଣ୍ଟ, ଓ ଗଲ୍ଫ କ୍ଲବ ବାର୍‌କୁ ୫୦ ପ୍ରତିଶତ କ୍ଷମତା ସହିତ ସକାଳ ୧୦ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ସେହିପରି ବିବାହ ଉତ୍ସବ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ୟ କିମ୍ବା ଦାହ ସଂସ୍କାର ପାଇଁ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.