ଲକ୍‌ଡାଉନ୍‌ ୫.୦ରେ ଜାଣନ୍ତୁ କ'ଣ ଖୋଲା ରହିବ ଏବଂ କ'ଣ ରହିବ ବନ୍ଦ ?

Published By : Prameya-News7 Bureau | May 30, 2020 IST

ନୂଆଦିଲ୍ଲୀ ୩୦।୦୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍‌କୁ ସଂପୂର୍ଣ୍ଣ ଖୋଲିବାକୁ ଉଚିତ୍ ମଣି ନାହାନ୍ତି। ତେଣୁ ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହାର ଅବଧି ଜୁନ ୧ରୁ ଜୁନ୍ ୩୦ ରଖାଯାଇଛି। ହେଲେ ପୂର୍ବାପେକ୍ଷା ଲୋକଙ୍କୁ ଅଧିକ କୋହଳ କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ସେଲୁନ ଖୋଲିବାକୁ ଅନୁମତି ମିଳିଛି। ଜୁନ ୧ରୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଲାଗି ପାସ୍‌ର ଆବଶ୍ୟକତା ନାହିଁ। କିନ୍ତୁ ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ ପୂର୍ବବତ୍ତ କଟକଣା ଜାରି ରହିବ।

ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ ଅନଲକ୍‌-୧ର ନାମ ଦିଆଯାଇଛି। ଏହାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ଅନଲକ୍-୧ର ପ୍ରଥମ ଫେଜ୍‌ରେ କଣ୍ଟେମେଣ୍ଟ ଜୋନ୍‌କୁ ଛାଡି ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ କୋହଳ ଦେବାକୁ ମଞ୍ଜୁରୀ ମିଳିଛି। ଜାଣନ୍ତୁ ଲକ୍‌ଡାଉନ୍‌ ୫.୦ର କଣ ରହିବ ବନ୍ଦ ଏବଂ କଣ ରହିବ ଖୋଲା।

ପର୍ଯ୍ୟାୟ -୧

ଗୃହ ମନ୍ତ୍ରଣାଳୟର ମାର୍ଗଦର୍ଶିକତା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଜୁନ୍ ୮ରୁ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଲୋକଙ୍କ  ପାଇଁ ଖୋଲି ଦିଆଯିବ। ହୋଟେଲ୍, ସପିଂ ମଲ୍, ରେସ୍ତୋରାଁ ଓ ଅନ୍ୟ ସୁବିଧା ଖୋଲିବାକୁ ଅନୁମତି ଦିଆଯାଇଛି। ସରକାର ଏଥିପାଇଁ ନୂତନ ମାର୍ଗଦର୍ଶିକା ଜାରି କରିବେ।

ପର୍ଯ୍ୟାୟ-୨

ଦ୍ଵିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବାକୁ ଅନୁମତି ଦିଆଯିବ। ଏଥିପାଇଁ ପ୍ରଥମେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ। ଏହା ପରେ ଯାଇ ଜୁଲାଇ ମାସରେ ନିଷ୍ପତ୍ତି ନିଆଯିବ।

ପର୍ଯ୍ୟାୟ-୩

ତୃତୀୟ ପର୍ଯ୍ୟାୟରେ ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ରେଲ୍, ସିନେମା ହଲ୍‌, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ଅନୁମତି ମିଳିବ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ।

ଏବେ ଏହି ସବୁ ରହିବ ବନ୍ଦ

ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ସଞ୍ଚାଳନ, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଥିଏଟର, ବାର ଓ ଅଡିଟୋରିୟମ, ବିଧାନସଭା କକ୍ଷ ଆଦି ବନ୍ଦ ରହିବ। ତୃତୀୟ ପର୍ଯ୍ୟାୟରେ ହିଁ ଏସବୁ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.