ଲକ୍‌ଡାଉନ୍‌ ୨.୦: କାଲିଠାରୁ କେଉଁ କ୍ଷେତ୍ରରେ କୋହଳ ଏବଂ କେଉଁ ସେବା ଉପରେ ଜାରି ରହିବ ରୋକ୍...

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୦୪: କରୋନା ଭାଇରସ୍‌ର ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ହେଲେ ଏପ୍ରିଲ ୨୦ ଅର୍ଥାତ ମଧ୍ୟରାତ୍ରଠୁ ଦେଶର ଅଣ  ହଟ୍‌ସ୍ପଟ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ରେ ଆଂଶିକ କୋହଳ କରାଯିବ। ଗ୍ରାମାଞ୍ଚଳର ଅର୍ଥନୀତିକୁ ଗତି ଦେବା ଏବଂ ଶ୍ରମିକଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖିବା ସହ ବେତନଭୋଗୀଙ୍କ ପାଇଁ ଆଜି ମଧ୍ୟ ରାତ୍ରରୁ ଲକ୍‌ଡାଉନ୍‌ ଆଂଶିକ କୋହଳ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, କୋଭିଡ୍-୧୯ ଅଣ ହଟ୍‌ସ୍ପଟ୍‌ ଅଞ୍ଚଳରେ ହିଁ ସୀମିତ ବ୍ୟବସାୟିକ ଗତିବିଧରେ ଆଂଶିକ କୋହଳ ଦିଆଯିବ। ଏହି ସମୟରେ ଯେମିତି ଲକ୍‌ଡାଉନ୍‌ ନିୟମର ପାଳନ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ସାମାଜିକ ଦୂରତ୍ଵ ବଜାୟ ଉପରେ ଗୁରୁତ୍ଵ ଦିଆଯିବ। ସାମୁଦାୟିକ ଗତିବିଧି ଉପରେ ରୋକ୍ ଜାରି ରହିବ। ସ୍ଵାସ୍ଥ୍ୟ ସେବା ଜାରି ରହିବ। କେନ୍ଦ୍ର ଯେଉଁ କ୍ଷେତ୍ର ଉପରେ କୋହଳ କରିଛନ୍ତି, ରାଜ୍ୟ ସରକାର ଚାହିଁଲେ ନିଜର ଆବଶ୍ୟକ ମୁତାବକ କଟକଣା ଲଗାଇ ପାରିବେ।

ନିମ୍ନୋକ୍ତରେ ସେହି ଗତିବିଧି/ସେବାର ତାଲିକା ଦିଆଯାଇଛି, ଯେଉଁଠି ଏପ୍ରିଲ ୨୦ରୁ ଲକ୍‌ଡାଉନ୍‌ରେ କୋହଳ ମିଳିବ ନାହିଁ।

୧ – ଯାତ୍ରୀବାହୀ ଟ୍ରେନ, ବିମାନ ଓ ସଡକ ଯାତାୟତ ଉପରେ ରୋକ୍ ପୂର୍ବବତ୍ତ ଜାରି ରହିବ।

୨- ଶିକ୍ଷାନୁଷ୍ଠାନ ଏବଂ ଏହା ସମ୍ଵନ୍ଧିତ ଅନୁଷ୍ଠାନ ଯଥା ସ୍କୁଲ, କଲେଜ ଚାଲିବ ନାହିଁ।

୩- ହୋଟେଲ ସମେତ ଅଧିକାଂଶ ଶିଳ୍ପ, ବାଣିଜ୍ୟିକ କାର୍ଯ୍ୟକଳାପ ଏବଂ ଆତିଥ୍ୟ ସେବା (ଯଦି ସେଗୁଡିକ ବିଶେଷ ଭାବରେ ଛାଡ କରାଯାଏ ନାହିଁ)।

୪- ସିନେମା ହଲ ଏବଂ ମନୋରଞ୍ଜନ ଧର୍ମୀ ସ୍ଥଳ ବନ୍ଦ ରହିବ।

୫- ସପିଂ ମଲ, ସପିଂ କମ୍ପ୍ଲେକ୍ସ ଏବଂ ଏଣ୍ଟରଟେନମେଣ୍ଟ ପାର୍କ ବନ୍ଦ ରହିବ।

୭ - ସାମାଜିକ, ରାଜନୈତିକ, ସାଂସ୍କୃତିକ, ମନୋରାଞ୍ଜନ, ଏକାଡେମୀକ ଓ କ୍ରୀଡା ଏସବୁ ଉପରେ ପୂର୍ବବତ୍ତ ପ୍ରତିବନ୍ଧକ ଜାରି ରହିବ।

୮ – ଟ୍ୟାକ୍ସି, ଓଟୋ ଏବଂ କ୍ୟାବ୍ ସେବା ମଧ୍ୟ ବନ୍ଦ ରହିବ।

କେନ୍ଦ୍ର ସରକାର କହିଛନ୍ତି ଯେ, ଯେଉଁ ସବୁ ଅଣ ହଟ୍‌ସ୍ପଟ୍‌ରେ ଲକ୍‌ଡାଉନ୍‌ରେ ଆଂଶିକ କୋହଳ ଦିଆଯିବ ସେଠାରେ ଯେମିତି ନିୟମ ଭଙ୍ଗ ନହୁଏ ସେ ଦିଗ ପ୍ରତି ଦୃଷ୍ଟି ଦିଆଯିବ। କିଛି ବି ତ୍ରୁଟି ଦେଶ ଉପରେ ଭାରି ପଡିପାରେ।

କେଉଁ କାର୍ଯ୍ୟ ପାଇଁ ଦିଆଯାଇଛି କୋହଳ

ଗ୍ରାମାଞ୍ଚଳ ଅର୍ଥନୀତିକୁ ଗତି ଦେବା ପାଇଁ ଚାଷ କାର୍ଯ୍ୟରେ କୋହଳ ଦିଆଯାଇଛି। କାମ କରିବାକୁ ଶ୍ରମିକ, ଦିନ ମଜୁରିଆଙ୍କ ଗତିବିଧିର କୋହଳ କରାଯାଇଛି। ସ୍ଵାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଆଦି ଜାରି ରହିବ। ସ୍ଥିତି ଧୀରେ ଧୀରେ ସ୍ଵଭାବିକ ଆଣିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି। ଯଦ୍ଵାରା ଏହା ସୁନିଶ୍ଚିତ  ହୋଇ ପାରିବ ଯେ, ଜୀନବ ଓ ଆଜୀବିକା ଉଭୟ ସୁରକ୍ଷିତ ରହୁ।

ଲଭ୍ ଅଗ୍ରଓ୍ଵାଲ କହିଛନ୍ତି ଯେ, ହଟ୍‌ସ୍ପଟ୍‌ ଜୋନ ବାହାରେ ଅନେକ କାର୍ଯ୍ୟାଳୟ, କାର୍ଯ୍ୟସ୍ଥଳ, କାରଖାନାରେ କାର୍ଯ୍ୟ ଆରମ୍ଭ ହୋଇଯିବ। ମାତ୍ର ସମସ୍ତଙ୍କୁ ସାମାଜିକ ଦୂରତ୍ଵ  ବଜାୟ ରଖିବାକୁ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମଣରେ ସମ୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ ବଡ ଶିଳ୍ପ ୟୁନିଟ୍ ଗୁଡିକ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘର ଭିତରେ ରଖିବାକୁ ଉତ୍ସାହିତ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.