୬ ଦିନ ପରେ ସେବା ସମବାୟ ସମିତିର ତାଲା ଖୋଲିବେ ଗ୍ରାମବାସୀ: ଜାରି ରହିବ ଆନ୍ଦୋଳନ, ଧାନ କିଣାରେ ବାଧା ଦେବେନି ଆନ୍ଦୋଳନକାରୀ
20/01/2021 at 10:00 PM

ଭଦ୍ରକ୨୦/୧: ୬ ଦିନ ପରେ ସେବା ସମବାୟ ସମିତିର ତାଲା ଖୋଲିବେ ଗ୍ରାମବାସୀ । ଆନ୍ଦୋଳନ ଚାଲିବ ଓ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାରେ କୌଣସି ବାଧା ଦେବେନି ଆନ୍ଦୋଳନକାରୀ । ଏମିତି ବୁଝାମଣା ପତ୍ର ପ୍ରଦାନ କରିଛନ୍ତି ଚାଷୀ କମିଟି ଓ ଶୃଙ୍ଖଳା କମିଟି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ସେବା ସମବାୟ ସମିତିର ଚାଷୀମାନେ ଦୀର୍ଘ ୬ ଦିନ ହେବ ସମବାୟ ସମିତିରେ ତାଲା ପକାଇଥିଲେ ।
ସରସଦା ସେବା ସମବାୟ ସମିତିରେ ସମ୍ପାଦକଙ୍କ ଚଞ୍ଚକତା ଅଭିଯୋଗ କରିଥିଲେ। ତେବେ ସେହି ଅଞ୍ଚଳର ଚାଷୀଙ୍କ ପଞ୍ଜିକରଣ ବେଳେ ସେମାନଙ୍କ ଜମିର ପରିମାଣ କମ କରିଥିବା ନେଇ ଅଭିଯୋଗ କରିଥିଲେ ଚାଷୀ । ତେବେ ବହୁ ଅଭିଯୋଗ ପରେ ମଧ୍ୟ ସଂଶୋଧନ ନ ହେବାରୁ ଚାଷୀମାନେ ସରସଦା ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦେବା ସହ ଗେଟରେ ତାଲା ପକାଇଥିଲେ। ତେବେ ସେବା ସମବାୟ ସମିତିରେ ତାଲା ପଡିଥିବାରୁ ଟୋକାନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରିପାରୁନଥିଲେ। ପରେ ଚାଷୀ କମିଟି ଓ ନୂତନ ଭାବେ ଗଠିତ ଶୃଙ୍ଖଳା କମିଟି ମିଳିତ ଭାବେ ବୈଠକ କରିଛନ୍ତି । ଯେଉଁ ଚାଷୀମାନେ ନିଜର ଜମି ମାପର ସଂଶୋଧନ ଦାବି ରଖିଛନ୍ତି ସେମାନେ ଆନ୍ଦୋଳନ କରିବେ ଓ ଧାନ କିଣାରେ କୌଣସି ବାଧା ଦେବେ ନାହିଁ । ଏ ନେଇ ଏକ ରାଜିନାମା ଭଣ୍ଡାରୀପୋଖରୀ ଥାନାରେ ଦିଆଯିବ ଏବଂ ୩୧୪ ଚାଷୀଙ୍କ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ।