ଏପ୍ରିଲ ୧୪ରେ ଲକଡାଉନ ହଟିବ ନା ନାହିଁ ଲୋକଙ୍କ ବ୍ୟବହାର ଦେଖି ନିଷ୍ପତ୍ତି ନିଆଯିବ - ଉଦ୍ଧବ ଠାକରେ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୦୪/୦୪ : ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି | ଦିନକୁ ଶହ ଶହ ଲୋକ ଭାଇରସରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସୁଛି | ସଂକ୍ରମଣରେ ଅଧିକାଂଶ ତବଲିଗି ଜମାତ ଶହ ଜଡିତ ଥିବା ଜଣାପଡିଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତବଲିଗି ଜମାତକୁ ନେଇ ଏକ ବଡ ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମଧ୍ୟ ତବଲିଗି ଜମାତ ପାଇଁ ଅନୁମତି ଦିଆଯାଇଥିଲା କିନ୍ତୁ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ରଦ୍ଦ କରାଯାଇଥିଲା |
ସେ କହିଛନ୍ତି ଯେ ଦିଲ୍ଲୀରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଆମେ ମହାରାଷ୍ଟ୍ରରେ ହେବାକୁ ଦେଳୁନାହିଁ | ଜମାତ ପାଇଁ ପୂର୍ବରୁ ଅନୁମତି ଦିଆଯାଇଥିଲା କିନ୍ତୁ ପରିସ୍ଥିତି ଦେଖିବା ପରେ ଅନୁମତି ଅସ୍ବୀକାର କରାଯାଇଥିଲା | ତେବେ ମହାରାଷ୍ଟ୍ରରୁ ଯେଉଁମାନେ ଦିଲ୍ଲୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନଙ୍କୁ ପୋଲିସ ଅଧିକାରୀ ଖୋଜୁଛନ୍ତି |

ଲକ ଡାଉନକୁ ନେଇ ଠାକରେ କହିଛନ୍ତି ଯେ, ଏପ୍ରିଲ ୧୪ ତାରିଖରେ ଲକଡାଉନ ହଟା ଯିବ ନା ନାହିଁ ତାହା ଲୋକଙ୍କ ବ୍ୟବହାର ଦେଖି ନିଷ୍ପତ୍ତି ନିଆଯିବ | ଲୋକ ସରକାରଙ୍କ ନିର୍ଦେଶ କେତେ ପାଳନ କରୁଛନ୍ତି ତାହା ଦେଖାଯିବ | ଏହାସହ ରାଜ୍ୟରେ କୌଣସି ପ୍ରକାର ଖେଳ, କିମ୍ବା ଧାର୍ମିକ ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ | ସେ ଆହୁରି କହିଛନ୍ତି ଯେ, କୋଭିଡ-୧୯ ଭାଇରସ ଏକ ସାମ୍ପ୍ରଦାୟିକ ଭାଇରସ | ଏହା ଜାତି ଧର୍ମ ଦେଖିନାହିଁ | କରୋନାକୁ ନେଇ ଯେଉଁମାନେ ଭୁଲ ତଥ୍ୟ କିମ୍ବା ଭୁଲ ଭିଡିଓ ପ୍ରସାରଣ କରି ଥଟ୍ଟା କରୁଛନ୍ତି ତାଙ୍କୁ ସେ ଚେତାବନୀ ଦେଇଛନ୍ତି |
କରୋନା ମାମଲା ପ୍ରତ୍ୟେକ ରାଜ୍ୟରେ ବଢ଼ିବାରେ ଲାଗିଛି | ଆଜି ମହାରାଷ୍ଟ୍ରରେ ୪୭, ଉତ୍ତର ପ୍ରଦେଶ ଆଗ୍ରାରେ ୨୫, ରାଜସ୍ଥାନରେ ୧୯, ଗୁଜୁରାଟରେ ୧୦, ମଧ୍ୟ ପ୍ରଦେଶରେ ୬ ଏବଂ ଗୋଆରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି | ରାଜସ୍ଥାନ, ଗୁଜୁରାଟ, ତାମିଲନାଡୁରେ ଜଣେ ଲେଖାଏଁ ପ୍ରାଣ ହରାଇଥିବାବେଳେ ମଧ୍ୟ ପ୍ରଦେଶରେ ୩ଜଣ ପ୍ରାଣ ହରାଇଛନ୍ତି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୨୦ ପହଞ୍ଚିଛି | ଏମାନଙ୍କ ମଧ୍ୟରୁ ୨୬୫୦ ଜଣଙ୍କ ଚିକିତ୍ସା ଚାଲିଛି | ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୬୮ ଜଣଙ୍କ ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.