ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସିଥିବା ବିଧାୟକଙ୍କ ଉପରେ ଚପଲ ମାଡ, ହଙ୍ଗାମା ସହ ଗାଡି ଭଙ୍ଗାରୁଜା
16/10/2020 at 5:02 PM

ହାଇଦ୍ରାବାଦ ୧୬।୧୦: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା କାରଣରୁ ଲୋକେ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ହେଲେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଥିବା ବିଧାୟକଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଉତ୍ତେଜିତ ଲୋକେ ବିଧାୟକଙ୍କ ଉପରକୁ ଚପଲ ମାରିବା ସହିତ ତାଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି।
ଇବ୍ରାହିମପଟ୍ଟନମର ଟିଆରଏସ ବିଧାୟକ ମାନଚିର ରେଡ୍ଡୀ କିଶନ ରେଡ୍ଡୀ ପାର୍ଟିର କର୍ମକର୍ତ୍ତାଙ୍କ ସହିତ ବନ୍ୟା ପ୍ରଭାବିତ ମେଡିପଲ୍ଲୀ ଅଞ୍ଚଳ ପରିଦର୍ଶନ କରୁଥିଲେ। ସେହି ସମୟରେ ଅସନ୍ତୁଷ୍ଟ ଲୋକ ତାଙ୍କ ବିରୋଧରେ ନାରା ଲଗାଇବା ସହ ଚପଲ ଫିଙ୍ଗିବା ଆରମ୍ଭ କରିଥିଲେ। ହେଲେ ବିଧାୟକଙ୍କ ଉପରେ ଚପଲ ବାଜି ନାହିଁ। ଯେଉଁ ସମୟରେ ବିଧାୟକଙ୍କ ସହିତ ଏହି ଘଟଣା ଘଟିଲା ତାଙ୍କ ସହିତ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଲୋକଙ୍କ କ୍ରୋଧ ଦେଖି ସେମାନେ ଆଗକୁ ଚାଲି ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣଝଡ ପ୍ରଭାବରେ ହୋଇଥିବା ଭୀଷଣ ବର୍ଷା ପରେ ହାଇଦ୍ରାବାଦ ଓ ଏହାର ଆଖପାଖର ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ଅଧିକାଂଶ ଅଞ୍ଚଳ ବର୍ଷାରେ ଉବୁଟୁବୁ। ରାସ୍ତାରେ ପାଣି ଲହଡି ମାଡୁଛି। ଅନେକ ଅଞ୍ଚଳରେ କାର ସଡକରେ ଭାସୁଥିବା ଦେଖିବାକୁ ମିଳିଛି। ସହରରେ କାନ୍ଥ ଭୁଶୁଡି ପଡିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି।
ବର୍ଷା ବିତ୍ପାତ କାରଣରୁ ପୂରା ତେଲଙ୍ଗାନାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହାଇଦ୍ରାବାଦ ସହରରେ ଦୁଇ ଶିଶୁ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଟିଆରଏସର ନେତୃତ୍ଵାଧୀନ ରାଜ୍ୟର ଚନ୍ଦ୍ରଶେଖର ରାଓ ସରକାର ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜୁଟିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହା ଉପରେ ନଜର ରଖିଛନ୍ତି।