ଫାଣ୍ଡିରେ ପଶିଲେ, ଭଙ୍ଗାରୁଜା କଲେ ଆଉ ଫାଣ୍ଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଲୋକେ
12/02/2019 at 6:23 PM

ଲମତାପୁଟ ୧୨|୨: ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପରେ ପୋଲିସ ଉପରେ ରାଗ ସୁଝାଇଲେ ଲୋକେ । କୋରାପୁଟ ଲମତାପୁଟ ଫାଣ୍ଡି ଅଧିକାରୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିବା ବେଳେ ଫାଣ୍ଡିରେ ପଶି ଗଣ୍ଡଗୋଳ କରିଥିଲେ ।

ଆଇନକୁ ହାତକୁ ନେଲେ ଲୋକେ । ପୋଲିସ ଉପରେ ସୁଝାଇଲେ ରାଗ । ଦେଖନ୍ତୁ ଏହି ଦୃଶ୍ୟକୁ । ଜଣେ ପୋଲିସ ଅଧିକାରୀଙ୍କୁ ଟାଣି ଆଣି ତଳେ ପକାଇ ଦେଉଛନ୍ତି ଲୋକେ । ତାଙ୍କୁ କିଏ ଗୋଇଠା ବିଧା ମାରି ଚାଲିଛି ତ ଆଉ କିଏ ପିଟି ଚାଲିଛି । କୋରାପୁଟ ଲମତାପୁଟ ଫାଣ୍ଡି ଅଧିକାରୀ ଶିବପ୍ରସାଦ ଷଡ଼ଙ୍ଗୀଙ୍କ ଏପରି ଅବସ୍ଥା ।

ତେବେ ପୋଲିସ ଉପରେ ଲୋକଙ୍କ ଏତେ ରାଗ କାହିଁକି । କାରଣ ପୋଲିସ ବାବୁ ଲୋକଙ୍କୁ ସଠିକ ସୂଚନା ତ ଦେଲେନି ହେୟଜ୍ଞାନ ବି କଲେ । ଗତକାଲି ରାତିରେ ଲମତାପୁଟ ମର୍ଡନ ସ୍କୁଲ ନିକଟରେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାରେ ଆହତ ବୃଦ୍ଧା ଦୋରା ଖିଲଙ୍କୁ ମେଡିକାଲ ନେଇଥିଲା ପୋଲିସ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସକାଳୁ ପରିବାର ଲୋକେ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ପୋଲିସ ଏ ବିଷୟରେ ଜାଣିନଥିବା କହିଥିଲା । ଯାହାକୁ ନେଇ ଫାଣ୍ଡିରେ ପଶି ଲୋକେ ଗଣ୍ଡଗୋଳ କରିବା ସହ ଫାଣ୍ଡି ଆଧିକାରୀଙ୍କୁ ଧରି ମାଡ ମାରିଥିଲେ ।