Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନକ୍ସଲର ମୃତ୍ୟୁ ପରେ ତାତିଲେ ଗ୍ରାମବାସୀ, ଯବାନଙ୍କୁ ଗୋଡାଇ ଗୋଡାଇ ପିଟିଲେ

1/08/2019 at 2:48 PM

ତେଲେଙ୍ଗାନା ୧|୮:  ସାରା ଦେଶରେ ନକ୍ସଲମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପାଳନ କରୁଛନ୍ତି ସହିଦ ସପ୍ତାହ । ତେବେ ଏହି ସମୟରେ ନକ୍ସଲଙ୍କୁ ଦମନ କରିବା ଲାଗି ଫୁଲ୍ ଦମରେ ଲାଗି ପଡିଛନ୍ତି ଆନ୍ଧ୍ର, ଓଡିଶା, ତେଲେଙ୍ଗାନା ଓ ଛତିଶଗଡର ପୋଲିସ ।

ସହିଦ ସପ୍ତାହ ଭିତରେ ଛତିଶଗଡ ପୋଲିସକୁ ଦୁଇ ଦୁଇଟି ବଡ ସଫଳତା ମିଳିଥିବା ବେଳେ ତେଲେଙ୍ଗାନା ପୋଲିସ ଗତକାଲି କୋତ୍ତାଗୁଡେମ୍ ଜିଲ୍ଲାରେ ଆରମ୍ଭ କରିଥିଲା ବଡ ଅପରେସନ । ନିଉ ଡେମୋକ୍ରାସି ଦଳମ୍ ନାମରେ ଗଠିତ ନକ୍ସଲଙ୍କ ଏକ ନୂଆ ଦଳ ଜବାଲାପାଲ୍ଲି ଜଙ୍ଗଲରେ ସଭା କରୁଥିବା ସମୟରେ ସିଆରପିଏଫ ଯବାନମାନେ ଚଢାଉ କରିଥିଲେ ।

ତେବେ ଯବାନଙ୍କ ଅତର୍କିତ ଆକ୍ରମଣ ଫଳରେ ଜଣେ ନକ୍ସଲ ପ୍ରାଣ ହରାଇବା ପରେ ଗାଁ ଲୋକେ ଯବାନଙ୍କୁ ଘେରି ଯାଇଥିଲେ । ଏମିତି କି କିଛି ମହିଳା ଓ ପୁରୁଷ ମିଶି ଯବାନଙ୍କୁ ଉପରେ ଜୋରଦାର ଆକ୍ରମଣ କରିଥିଲେ । ବାଡି ଓ ଠେଙ୍ଗାରେ ଯବାନଙ୍କ ଉପରେ ଜୋରଦାର ପ୍ରହାର ଚାଲିଥିବା ବେଳେ ଯବାନମାନେ ଜୀବନ ବଞ୍ଚାଇବା ଲାଗି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ ।

ମୃତ ନକ୍ସଲଙ୍କ ନାମ ଲିଙ୍ଗାନା ଓ ସେ ନିଉ ଡେମୋକ୍ରାସି ଦଳମର ସଭାପତି ବୋଲି ଜଣାପଡିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ଛାଉଣି କରାଯାଇଛି । ସଂଗଠନର ଅନ୍ୟ ସଦସ୍ୟମାନଙ୍କୁ ଧରିବା ଲାଗି ଯବାନମାନେ ଆଉ ଏକ ଅପରେସନ ଆରମ୍ଭ କରିଥିବା ଜଣାପଡିଛି । 

   Related Posts