ସାଲିଆ ସାହିରେ ପୋଲିସକୁ ନିସ୍ତୁକ ମାଡ, ଡ୍ରଗ୍ସ କାରବାରରେ ସାମିଲ ଥିବା ଅଭିଯୋଗ

Published By : Prameya-News7 Bureau | March 08, 2019 IST

ଭୁବନେଶ୍ବର ୮|୩ : ରାଜଧାନୀ ଭୁବନେଶ୍ବର ସାଲିଆସାହି ଆଦିବାସୀ ବସ୍ତିରେ ପୋଲିସକୁ ମାଡ ମରାଯାଇଥିବା ଦେଖିବାକୁ ମିଳିଛି । ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ପୋଲିସକୁ ନିସ୍ତୁକ ମାଡ ମାରିଛନ୍ତି ବସ୍ତି ବାସିନ୍ଦା । ପିସିଆର୍‌ ଡ୍ରାଇଭରକୁ ଗଛରେ ବାନ୍ଧି ଛେଚିବା ସହ ଅନ୍ୟ ଜଣେ ଡ୍ରଗ୍ସ ବେପାରିକୁ ମଧ୍ୟ ବାନ୍ଧି ପିଟିଛନ୍ତି ଲୋକେ ।

{"id":91673}

ସୂଚନା ଅନୁସାରେ ସାଲିଆ ସାହିରେ ଡ୍ରଗ୍ସ ବ୍ୟବସାୟ କରୁଥିବା ବେପାରୀକୁ ମହିଳାମାନେ ଧରିଥିଲେ । ଏହାପରେ ବେପାରୀ ଜଣଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏ ନେଇ ନୟାପଲ୍ଲୀ ଥାନାକୁ ଖବର ଦିଆଯାଇଥିଲା । କିଛି ସମୟ ପରେ ନୟାପଲ୍ଲୀ ଥାନା ପିସିଆର ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାମାନେ ବାନ୍ଧି ଥିବା ବେପାରୀଙ୍କୁ  ଆଣି ପିସିଆରରେ ଥିବା ହୋମଗାର୍ଡଙ୍କ ଜିମା ଦେଇଥିଲେ । ଜବତ କରିଥିବା କିଛି ଡ୍ରଗ୍ସ ପୁଡିଆ ମଧ୍ୟ ପୋଲିସର ଜିମା ଦେଇଥିଲେ । ମାତ୍ର ହୋମ୍ ଗାର୍ଡ ଜଣଙ୍କ ଡ୍ରଗ୍ସ ପୁଡିଆ ଲୁଚାଇଦେଇଥିଲେ । ଲୋକେ ତାଙ୍କୁ ଡ୍ରଗ୍ସ ପୁଡିଆ ଦେଇଥିବା କଥାକୁ ଫାଙ୍କି ଦେଇଥିଲେ । ଫଳରେ ବସ୍ତି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ହୋମ୍ ଗାର୍ଡଙ୍କୁ ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ଅନ୍ୟ ଏକ ପିସିଆର ପହଞ୍ଚିଥିଲା । ନୟାପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବସ୍ତି ଲୋକ ବାନ୍ଧି ଥିବା ବେପାରୀ ସହ ଅନ୍ୟ ଜଣେ ସହଯୋଗୀଙ୍କୁ ମଧ୍ୟ ନୟାପଲ୍ଲୀ ଥାନାରେ ଅଟକ ରଖାଯାଇଛି । ମାଡ ଖାଇଥିବା ହୋମଗାର୍ଡ ଜଣଙ୍କ ଡ୍ରଗ୍ସ କାରବାରରେ ସାମିଲ ଥିବା ମଧ୍ୟ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ସଂପୃକ୍ତ ହୋମଗାର୍ଡ ସାଦା ପୋଷାକରେ ଯାଇଥିଲେ । ଏହାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.