Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରେ ଯୁବପୀଢିଙ୍କ ବଦାନ୍ୟତା : ଦେବଗଡରେ ପ୍ରବାସୀ ଶ୍ରମଜୀବୀଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟ

23/05/2020 at 1:36 PM

ଦେବଗଡ ୨୩।୫: କରୋନା ପାଇଁ ସରକାର ଚତୁର୍ଥ ଥର ପାଇଁ ଲକ୍ ଡାଉନ୍ ଘୋଷଣା କରିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ନିଜ ଭିଟାମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ପ୍ରବାସୀ ଶ୍ରମିକମାନେ ନିଜ କର୍ମସଂସ୍ଥାନ ହରାଇଥିବା ବେଳେ ଏବେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଘରକୁ ଫେରିବା ପାଇଁ ବେସ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଟ୍ରକ୍, ବସ୍, ସାଇକଲରେ କିମ୍ବା ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାସ୍ତାରେ ଖାଇବା ଏକ ସମସ୍ୟା ହୋଇଥିବା ବେଳେ ଦେବଗଡ ସହରର କିଛି ସଚେତନ ଯୁବକ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବନ୍ଦୋବସ୍ତ କରୁଛନ୍ତି ।

କରୋନା ସାରା ବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ନିଜ ଘରଠାରୁ ଦୂରରେ ରହି କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିଛି। ନିଜ ନିଜର କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକମାନେ କୌଣସି ପ୍ରକାର ଘରକୁ ଫେରୁଥିବା ବେଳେ ରାସ୍ତାରେ ଖାଇବା ସେମାନଙ୍କ ପାଇଁ ଏକ ସମସ୍ୟା ହୋଇଛି । ଟ୍ରକ୍, ବସ୍, ସାଇକେଲ୍ ଓ ଚାଲି ଚାଲି ନିଜ ଘରକୁ ଫେରୁଥିବା ଏଭଳି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଦେବଗଡ ସହର କାରଗିଲ ଛକଠାରେ ପ୍ରତିଦିନ କିଛି ଉତ୍ସାହୀ ଓ ଉଦ୍ୟମୀ ଯୁବକ ପାଣି ଓ ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ପ୍ରାଥମିକ ଭାବେ ନିଜର ଅର୍ଥ ବିନିଯୋଗ କରି ଆରମ୍ଭ କରିଥିବା ଏହି ସମାଜ ସେବାକୁ ଦେଖି ଆଖପାଖ ଅଞ୍ଚଳର ବାସିନ୍ଦା ବେଶ୍ ପ୍ରଶଂସା କରିବା ସହ ଅର୍ଥ ସହଯୋଗ କରୁଛନ୍ତି ।

ଆଉ ଏହି ଉତ୍ସାହୀ ଯୁବକମାନେ ସମସ୍ତେ ଦେବଗଡ ସହର ରାଜା ବାସୁଦେବ ହାଇସ୍କୁଲର ୧୯୮୯ବର୍ଷର ମାଟ୍ରିକ୍ ଛାତ୍ର । ଏମାନେ ସମସ୍ତେ ନିଜ ନିଜର ରୋଜଗାରର କିଛି କିଛି ଅଂଶ ଏହି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ସ୍ଥିର କରି ଦେବଗଡ ଟ୍ରାଫିକ ଛକଠାରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଣରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ସକାଳେ ଏହି ଯୁବକମାନେ କଦଳୀ, କାକୁଡି, ପାଉଁରୁଟି, ଜାମ, ବିସ୍କୁଟ, ପାଣି ଓ ଓଆରଏସ୍ ପ୍ୟାକେଟ୍ ରାସ୍ତାରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇ ଦେଉଛନ୍ତି । ଏହି ପ୍ରବାସୀ ମାନେ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ଭଳି ରାଜ୍ୟ ରୁ ଆସୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ଖାଦ୍ୟ ଓ ପାନୀୟ ଯୋଗାଇବା ବେଳେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ସେମାନେ ଗଲାପରେ ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

ଦେବଗଡ ଜିଲ୍ଲା ଜିଲ୍ଲା ଦେଇ ୨୩ ନମ୍ବର, ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଯାଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ କର୍ମ ଭୂମିରୁ ଜନ୍ମଭୂମିକୁ ଫେରୁଛନ୍ତି । ବାଟରେ ଯିବା ବେଳେ ଖାଦ୍ୟ ଓ ପାନୀୟ ଠିକ୍ ଭାବରେ ପାଇବା ଏମାନଙ୍କ ପାଇଁ ସମସ୍ୟା ହୋଇଥିବା ବେଳେ ଦେବଗଡ ସହରର ଏହି ଉତ୍ସାହୀ ଓ ଉଦ୍ୟମୀ ଯୁବକମାନଙ୍କ କାମ ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ଓ ପ୍ରଶଂସନୀୟ ।

   Related Posts