ପ୍ରଶାସନର ଖାମ ଖିଆଲି, ବର୍ଷେ ହେଲା ଜଳୁନାହିଁ ଷ୍ଟ୍ରିଟ୍ ଲାଇଟ୍
19/07/2020 at 5:04 PM

ପଦ୍ମପୁର ୧୯।୦୭: ସହର ଗୁଡିକ ରାତ୍ରି ସମୟରେ ଆଲୋକିତ ହେବ ବୋଲି ସରକାର ବିଭିନ୍ନ ସହରର ରାସ୍ତା ତଥା ସମସ୍ତ ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ ଲଗାଇଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ଅଧିନସ୍ଥ ସମସ୍ତ ଏଗାର ଗୋଟି ଓ୍ବାର୍ଡରେ ଆଲୋକିକରଣ ପାଇଁ ଲାଇଟ ଲଗାଯାଇଛି। ହେଲେ ଏନଏସିର ରକ୍ଷଣାବେକ୍ଷଣ ଅଭାବରୁ କିଛି ଓ୍ଵାର୍ଡରେ ଜଳୁନାହିଁ ଷ୍ଟ୍ରିଟ୍ ଲାଇଟ୍।

ଏନଏସି ସାତ ନମ୍ବର ଓ୍ବାର୍ଡର ଅମଲିପାଲି ଅଞ୍ଚଳ ସହରଠୁ ଟିକେ ଦୂରରେ ରହିଛି । ସେଠାକୁ ମଧ୍ୟ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା । ହେଲେ ଏନଏସିର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ଷ୍ଟ୍ରିଟ ଲାଇଟ ଗୁଡିକ ଆଉ ଜଳୁନାହିଁ । ଲାଇଟ ଖୁଣ୍ଟ ଗୁଡ଼ିକ ଅର୍ଧନତମସ୍ତକ ଭାବରେ ପଡିରହିଛି । କେତେକ ଜାଗାରେ ବିଦ୍ୟୁତ ତାର ଛିଣ୍ଡି ତଳେ ପଡି ରହିଛି ।

ସରକାର ସହରକୁ ଆଲୋକିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବିଭାଗୀୟ ଅଧିକାରୀଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହେଇପାରୁ ନାହିଁ। ବର୍ଷା ଦିନରେ ଏହି ରାସ୍ତାରେ ଯିବାଆସିବା କରିବାରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ଏହା ପ୍ରତି ଧ୍ୟାନ ଦେଇ ଏହି ଷ୍ଟ୍ରିଟ ଲାଇଟ ଲଗାଇବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି।